ବାରିପଦା ; ମୟୂରଭଞ୍ଜ ଜିଲ୍ଲା,ଠାକୁରମୁଣ୍ଡା ବ୍ଲକ, ତାଳପଦା ଓ ଭରଣ୍ଡିଆ ପଞ୍ଚାୟତ ସୀମାନ୍ତ ବାରପଉଟିଆ ଅଞ୍ଚଳରେ ମଙ୍ଗଳବାର ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ଜଣେ ଶିଶୁ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ପ୍ରଥମେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଘସିପୁରାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ବାରପଉଟିଆ ଅଞ୍ଚଳରେ ଏକ ପରିବାରର ସଦସ୍ୟମାନେ ବିଲକାମ କରୁଥିଲେ। ଏହି ସମୟରେ ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ ସମୟରେ ହଠାତ୍ ମହୁମାଛି ଆକ୍ରମଣ କରିଥିଲା। ଆକ୍ରମଣରେ ପରିବାରର ସଦସ୍ୟମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିଥିଲେ।

ତେବେ ମହୁମାଛିଙ୍କ ଆକ୍ରମଣରେ ଦେଢ଼ ବର୍ଷର ଶିଶୁ ସାଗର ହେମ୍ବ୍ରମଙ୍କ ସମେତ ପରିବାରର ୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ରେମେତ ହେମ୍ବ୍ରମ (୬୦), ପୁଅ ଟିକୁ ହେମ୍ବ୍ରମ (୨୩), ବୋହୂ ସୀତା ହେମ୍ବ୍ରମ (୨୦), ବଡ଼ମା – ତିଳ ହେମ୍ବ୍ରମ (୫୫) ଏବଂ ଦେଢ଼ ବର୍ଷର ଶିଶୁ ସାଗର ହେମ୍ବ୍ରମ ରହିଛନ୍ତି। ମହୁମାଛି ଆକ୍ରମଣରେ ସମସ୍ତେ ଗୁରୁତର ହୋଇପଡ଼ିବା ପରେ ପରିବାର ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ପ୍ରଥମେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ପରେ ଅଧିକ ଚିକିତ୍ସା ପାଇଁ ଘସିପୁରା ନିଆଯାଇଥିଲା। ଏହି ଘଟଣାକୁ ନେଇ ପରିବାର ମଧ୍ୟରେ ଭୟ ଦେଖାଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି।
ବିଲରେ କାମ କରୁଥିବା ସମୟରେ ହଠାତ୍ ମହୁମାଛିଙ୍କ ଆକ୍ରମଣ ହେବାରୁ ଏହି ଅଘଟଣ ଘଟିଥିବାର ଜଣାପଡ଼ିଛି।
