ବାଲୁଗାଁ: ସ୍ପଷ୍ଟ ଦିବାଲୋକରେ ବୁଧବାର ପୂର୍ବାହ୍ନରେ ବାଲୁଗାଁ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିକଟରେ ଦୁଇ ଲୁଟେରା ଲୁଟ୍ କରୁଥିବା ବେଳେ ସେମାନଙ୍କ ଉଦ୍ୟମ ବିଫଳ ହୋଇଛି।ସୂଚନା ଅନୁସାରେ ବ୍ୟାଙ୍କ ନିକଟରେ ଥିବା ଏଟିଏମ ମେସିନରୁ ଦୁଇ ଜଣ ବ୍ୟାଙ୍କ କର୍ମଚାରୀ କ୍ୟାସିୟର ରମେଶ ବେହେରା ଓ ସହଯୋଗୀ ପ୍ରଶାନ୍ତ ନାୟକ ପ୍ରାୟ ୨୮ ଲକ୍ଷ ଟଙ୍କା ଉଠାଇ ବ୍ୟାଙ୍କକୁ ଫେରୁଥିବା ବେଳେ ସାମ୍ନା ପଟୁ ଗୋଟିଏ ବାଇକରେ ଦୁଇ ଜଣ ଲୁଟେରା ଆସି ସେମାନଙ୍କୁ ଅଟକାଇ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ।

ଏହି ସମୟରେ ଘଟଣାସ୍ଥଳରେ ବ୍ୟାଙ୍କ କର୍ମଚାରୀ ଓ ଲୁଟେରାଙ୍କ ମଧ୍ୟରେ ଟଙ୍କା ଥିବା ବ୍ୟାଗକୁ ନେଇ ଧସ୍ତାଧସ୍ତି ହୋଇଥିଲା।ଲୁଟେରାମାନେ କର୍ମଚାରୀଙ୍କ ମୁହଁରେ ସ୍ପ୍ରେ ମାରି ଟଙ୍କା ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ ହେଲେ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଓ ସାହସ ଯୋଗୁଁ ଲୁଟେରାଙ୍କ ଯୋଜନା ବିଫଳ ହୋଇଛି।ଘଟଣା ସ୍ଥଳରୁ ଲୁଟେରା ଦ୍ୱୟ ଚମ୍ପଟ ମାରିଥିବା ବେଳେ ଏନେଇ ବ୍ୟାଙ୍କ୍ ପକ୍ଷରୁ ପୋଲିସ ଥାନାରେ ଅଭଯୋଗ ହୋଇଛି।ପୋଲିସ ପକ୍ଷରୁ ସିସି କ୍ୟାମେରା ଯାଞ୍ଚ କରିବା ସହ ଲୁଟେରାଙ୍କୁ କାବୁ କରିବା ପାଇଁ ତଦନ୍ତ ଜାରି ରହିଛି।
