ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ୨୮ଟି ରଣନୈତିକ ସ୍ଥାନ ପାଇଁ ମାନକ ନାମ ନିର୍ଦ୍ଧାରଣ କରିବାକୁ ନେଇ ନୂଆଦିଲ୍ଲୀର ନିଷ୍ପତ୍ତି ଉପରେ ଚୀନ୍ ଆପତ୍ତି ଉଠାଇବା ପରେ, ଭାରତୀୟ ବୈଦେଶିକ ମନ୍ତ୍ରାଳୟ (ଏମଇଏ) ଦୃଢ଼ତାର ସହ କହିଛି ଯେ ଲଦାଖ ଭାରତର ଏକ ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ। ବେଜିଂ ଭାରତର ଏହି ପଦକ୍ଷେପକୁ ବେଆଇନ ବୋଲି କହିବା ସହ ଦାବି କରିଛି ଯେ ସୀମାର ପଶ୍ଚିମ ଭାଗରେ ଥିବା ଏହି ଅଞ୍ଚଳଗୁଡ଼ିକ ସର୍ବଦା ଚୀନ୍?ର ଅଂଶବିଶେଷ ରହିଆସିଛି। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଭାରତର ଏକ ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ। ଚୀନ୍ ପକ୍ଷରୁ କରାଯାଉଥିବା ଯେକୌଣସି ଅସ୍ୱୀକାର ଏହି ସ୍ଥାପିତ ସତ୍ୟକୁ ବଦଳାଇ ପାରିବ ନାହିଁ।’ ଗତ ସପ୍ତାହରେ, ସରକାରୀ ମାନଚିତ୍ର ପ୍ରସ୍ତୁତି ପ୍ରକ୍ରିୟାର ଅଂଶବିଶେଷ ଭାବରେ ଗୃହ ମନ୍ତ୍ରାଳୟ ଏହି ସ୍ଥାନଗୁଡ଼ିକ ପାଇଁ ମାନକ ନାମ ଘୋଷଣା କରିଥିଲା।ବେଜିଂରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେଇ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଯେ ଚୀନ୍ କେବେ ବି ଭାରତ ଦ୍ୱାରା ଏକପାଖିଆ ଓ ବେଆଇନ ଭାବେ ସ୍ଥାପିତ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱୀକୃତି ଦେଇନାହିଁ ଏବଂ ଭାରତର ମାନକ ନାମ ଘୋଷଣାକୁ ଦୃଢ଼ ବିରୋଧ କରୁଛି। ମାଓ କହିଛନ୍ତି, ଏହି ପଦକ୍ଷେପ ବେଆଇନ ଓ ଅବୈଧ ଅଟେ ଏବଂ ଏହା ସେହି ସତ୍ୟକୁ ବଦଳାଇ ପାରିବ ନାହିଁ ଯେ ଚୀନ୍-ଭାରତ ସୀମାର ପଶ୍ଚିମ ଭାଗରେ ଥିବା ସମ୍ପୃକ୍ତ ଅଞ୍ଚଳଗୁଡ଼ିକ ସର୍ବଦା ଚୀନ୍ର ଅଂଶବିଶେଷ ରହିଆସିଛି।’

ଅକ୍ଟୋବର ୨ ତାରିଖରେ, ଭାରତ ସରକାରୀ ମାନଚିତ୍ରରେ ଲଦାଖର ୨୮ଟି ରଣନୈତିକ ସ୍ଥାନ ଓ ଭୌଗୋଳିକ ସ୍ଥଳକୁ ଚିହ୍ନଟ କରିଥିଲା; ଏଥିରେ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ନିକଟସ୍ଥ ଗୋଗ୍ରା ଓ ହଟ୍ ସ୍ପ୍ରିଙ୍ଗ୍ ଭଳି ଗୁରୁ ଉଭୟ ପକ୍ଷ ୨୦୨୨ ମସିହାରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ। ଭାରତ ଦ୍ୱାରା ଚିହ୍ନଟ କରାଯାଇଥିବା ଅନ୍ୟ ସ୍ଥାନଗୁଡ଼ିକ ହେଲା – ଅଲିଶା ଗିରି, ବ୍ରାଙ୍ଗସା, ଚାପଚିଙ୍ଗାଲ୍ ପାସ୍, କନିଷ୍କ ଶିଖର, କରୁନ୍ ପିର୍ ପର୍ବତ, କୁକସେଲ୍, ମାର୍ତାଣ୍ଡ ଗିରି, ପାର୍ପିକ୍ ହିମବାହ, ସ୍କାମ୍ରି ହିମବାହ, ଶାଚମିରିକ୍ ପାସ୍, ଶ୍େକାର୍ଗା ଉପତ୍ୟକା, ଜୋରାୱାର୍ ଶିଖର, ଡେହ୍ରା କମ୍ପାସ୍, ଡ୍ରାକ୍ କାର୍ପୋ, ଜୋଲମୋରି, କୁମାରାୟଣ ପଏଣ୍ଟ, ପାଙ୍ଗଲୁଙ୍ଗ, ରିଞ୍ଚେନ୍ ଜାଙ୍ଗପୋ, ଶାକ୍ୟାଶ୍ରୀ ଗିରି, ଗୁରୁ ରିନପୋଚେ, ଶାମାଲ୍ ଲୁଙ୍ଗପା, ୟାଙ୍ଗପା ନଦୀ, ମାର୍ପା ଲୋତ୍ସାଭା ରି, ମିଲାରେପା କାଙ୍ଗ୍ରି, ଶିବ ରି ଏବଂ ମହେଶ୍ୱର ରି। ଶାମାଲ୍ ଲୁଙ୍ଗପାକୁ ୧୯୫୦ ଦଶକରେ ଏକ ପାଟ୍ରୋଲିଂ ଏବଂ ଷ୍ଟେଜିଂ (ସେନା ସଜ୍ଜା) ମାର୍ଗ ଭାବରେ ବର୍ଣ୍ଣନା କରାଯାଇଛି। ଗୋଗ୍ରା ଏବଂ ହଟ୍ ସ୍ପ୍ରିଙ୍ଗ୍ ସମେତ ଲଦାଖର ୨୮ଟି ସ୍ଥାନକୁ ଆନୁଷ୍ଠାନିକ ଭାବେ ମାନଚିତ୍ରଭୁକ୍ତ କରିବା ପାଇଁ ଭାରତର ପଦକ୍ଷେପ ପରେ ଏହି ଆଦାନପ୍ରଦାନ ହୋଇଥିଲା; ଅନ୍ୟପକ୍ଷରେ ଚୀନ୍ ଏହାକୁ ବିରୋଧ କରି କହିଥିଲା ଯେ ଏହି ପଦକ୍ଷେପ ଭାରତ-ଚୀନ୍ ସୀମାର ପଶ୍ଚିମ ଭାଗରେ ଥିବା ନିଜ ସ୍ଥିତିକୁ ବଦଳାଇ ପାରିବ ନାହିଁ।
