ବାରିପଦା; ଓଡ଼ିଶାର କୁଡୁମି ସମ୍ପ୍ରଦାୟରେ ଭାଦ୍ର ଶୁକ୍ଳ ଏକାଦଶୀ ତିଥିରେ ଅନୁଷ୍ଠିତ ହେଉଥିବା “କରମ୍ ପରବ୍’ର ମହିମା ଅନେକ। କୁଡୁମି କୁଆଁରୀ କିଶୋରୀମାନେ ଏ ପର୍ବର ତିନି, ପାଞ୍ଚ,ସାତ କିମ୍ବା ନଅ ଦିନ ପୂର୍ବରୁ ନିକଟସ୍ଥ ନଈ ବା ନାଳରୁ ପ୍ରଥମେ ବାଲି ଉତ୍ତୋଳନ କରି ଏକ ନୂଆ ବାଉଁଶଡାଲାରେ ରଖିଥାନ୍ତି। ଏହାକୁ “ବାଲି ଉଠା’ କୁହାଯାଏ। ସେଥିରେ ପୁଣି ମକା, ବିରି, ମୁଗ, ବୁଟ, କୋଳଥ, ହରଡ଼, ଯଅ ଆଦି ଅଙ୍କୁରକ୍ଷମ ତିନି,ପାଞ୍ଚ କିମ୍ବା ସାତ ପ୍ରକାରର ଶସ୍ୟ ବୁଣି ଦିଅନ୍ତି। ଶସ୍ୟ ସମନ୍ୱିତ ବାଲି ଡାଲାଟିକୁ ହୋଇଯାଏ -“ଜାୱା ଡାଲା’ । “କରମ୍ ପରବ୍’ର ମୁଖ୍ୟ ଆୟୋଜକଙ୍କ ଘରେ, ଏକ ନିରୋଳା କୋଠରିରେ ଏହି ଡାଲା ରଖାଯାଇଥାଏ। ଜାୱା ସବୁ ଅଙ୍କୁରିତ ହେବାପାଇଁ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟା ହଳଦୀ ପାଣି ସିଞ୍ଚାଯାଉଥାଏ। ସନ୍ଧ୍ୟାବେଳେ ଡାଲାକୁ ମଝି ଅଗଣାରେ ରଖି, ଧୂପ, ଝୁଣା ଦେଇ-“ଇତି ଇତି ଜାୱା, କିଆ କିଆ ଜାୱା ଜାଉଲଁ ମଇଁ ଜାଉଲଁ ମଇଁ ଧାନ ବହୁରା” ଆଦି ଜାୱାଗୀତ ବୋଲି, ନାଚିନାଚି ତାହାର ପରିକ୍ରମା କରାଯାଏ। ଏହାକୁ ‘ଜାୱା ବେଢ଼ା” କୁହାଯାଏ। ଏହି ପ୍ରକ୍ରିୟା ଜାୱାଉଠା ଦିନଠାରୁ କରମଦେବଙ୍କ ପୂଜାଦିନ ପର୍ଯ୍ୟନ୍ତ ଚାଲେ। ମୁଖ୍ୟତଃ କିଶୋରୀ ବାଳିକାମାନେ ଜାୱାର ରାକ୍ଷଣାବେକ୍ଷଣକାରୀ ହୋଇଥାନ୍ତି। ଏମାନଙ୍କୁ ‘କର୍ମତି” କୁହାଯାଏ।

ଜାୱା ଡାଲାକୁ ଛୁଇଁବାର ଅଧିକାର କେବଳ କର୍ମତିମାନଙ୍କର ଥାଏ।୍ୱୟୋଜ୍ୟେଷ୍ଠା ମହିଳାମାନଙ୍କ ଦିଗଦର୍ଶନରେ ଯେଉଁ ଦିନଠାରୁ ଜାୱା ସ୍ଥାପନ ହୁଏ ସେହି ଦିନଠାରୁ କର୍ମତିମାନେ ଜାୱାର ମାଆ ହୁଅନ୍ତି। ସେହି ଦିନଠାରୁ ଏନ୍ତୁଡ଼ିଶାଳର ମାଆଟିଏ ପରି କେତେକ ଆଚରଣଗତ ନିୟମ, ଚର୍ଯା ଓ କଟକଣା ତାଙ୍କ ପାଇଁ ଲାଗୁହୁଏ। ପ୍ରତୀକାତ୍ମକ ଭାବେ ବୟସ୍କା ମହିଳାମାନେ ତାଙ୍କୁ ଜାୱା ଲାଳନପାଳନର ସମସ୍ତ ପ୍ରକାର ଉପଦେଶ ଦିଅନ୍ତି। ନୀତିନିୟମ ବିଗିଡ଼ିଲେ କଣ ଅସୁବିଧା ହୁଏ ଅବଗତ କରାନ୍ତି। ଯେପରିକି -ଏହି ସମୟ ମଧ୍ୟରେ ଦହି ଖାଇବାକୁ ମନା -ଖାଇଲେ ଜାୱା ଫିମ୍ପି ମାରିଯିବ କ୍ଷ ଭବିଷ୍ୟତରେ ଛୁଆପିଲା ହେଲେ ତାଙ୍କୁ ଚର୍ମରୋଗ ହେବ କ୍ଷ ପୋଡ଼ା ଜିନିଷ ଖାଇବା ମନା -ଜାୱା ପୋଡ଼ିଯିବ ଏବଂ ଭବିଷ୍ୟତରେ ଛୁଆର ଅଗ୍ନି ଭୟ ରହିବ କ୍ଷ ଏମିତିକି ଗୁଡ଼, ଚିନି ଲୁଣ ନିଜ ହାତରେ ନେବା, ଖଟରେ ଶୋଇବା, ଚୁଟି ଖୋଷା ବାନ୍ଧିବା, ମୁଣ୍ଡ ବୁଡ଼ାଇ ଗାଧୋଇବା, ଦାନ୍ତକାଠି ଭାଙ୍ଗିବା ଆଦି ମନା -ଏମିତି ଏଗାର ପ୍ରକାର ନିୟମ ମାନି ଚଳନ୍ତି କର୍ମତିଗଣ। ଏପରି ନିୟମ, ନିଷ୍ଠା, ଆରାଧନା ପ୍ରକ୍ରିୟାରେ ନବବିବାହିତା ଝିଅମାନେ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ସାମିଲ ହୁଅନ୍ତି। ଭାଇଙ୍କ ଡାକରାରେ ଶ୍ୱଶୁରଘରୁ ବାପଘରକୁ ଫେରି ସେମାନେ ମଧ୍ୟ କରମ୍ ଦିନ ନିର୍ଜଳା ଉପବାସ ରହନ୍ତି। ଜାୱା ବେଢ଼ାରେ ସାମିଲ ହୁଅନ୍ତି। ସଭିଏଁ ମିଳିମିଶି ଜାୱାର ‘ନାଉଳିକାଟା” (ନାଭି କର୍ତ୍ତନ) ଓ ‘କମରଦରି ବାନ୍ଧା” (ଅଣ୍ଟାସୂତା ବନ୍ଧା) କାର୍ଯ୍ୟ ତୁଲାନ୍ତି। କରମଦେବଙ୍କ ଆରାଧନା କଲେ ପୁତ୍ରକଳତ୍ର, ଧନଜନଗୋପଲକ୍ଷ୍ମୀ, ପୁଣ୍ୟ ପ୍ରାପ୍ତହୁଏ ବୋଲି ଲୋକବିଶ୍ୱାସ ରହିଛି। ସେଦିନ ଗୃହସ୍ଥ ତଥା ପୂଜକ ଉପବାସପୂର୍ବକ ସନ୍ଧ୍ୟା ଆଡ଼କୁ ଗ୍ରାମବାସୀଙ୍କ ଢୋଲମାଦଳର ତାଳେତାଳେ ‘କରମଦେବ”ଙ୍କ ପ୍ରତୀକ ସ୍ୱରୂପ କରମଗଛର ଡାଳଟିଏ ଆବାହନ କରିଆଣି ମଝିଅଗଣାରେ ସ୍ଥାପନା କରନ୍ତି। ଏହାକୁ ‘କରମ ଗାଳା” କହନ୍ତି। କର୍ମତିମାନେ ତାଙ୍କର ଜାୱାଡାଲାକୁ ଆଣି ସେଇ କରମଡାଳ ମୂଳରେ ରଖନ୍ତି। ତା’ପରେ ଯେ”ଯାହାର ଘରୁ ଘିଅଦୀପ, ଚୁନା, କଜ୍ଜ୍ୱଳ, ସିନ୍ଦୂର, କ୍ଷୀର, ଗୁଡ଼, ଚୁଡ଼ା, ଜହ୍ନି, କୁନ୍ଦୁରି, କାକୁଡ଼ି ଆଦି ପରିବାକୁ ପୂଜାସାମଗ୍ରୀ ଭାବରେ ଆଣିଥାନ୍ତି। ପୂର୍ବରୁ ଦିନବେଳୁ କେଉଁଦା ଫୁଲ, ଅଁଳା-ବାହାଡା-ହରିଡ଼ା ଡାଳ, କୋଳିପତ୍ର, ବେଲପତ୍ର ଆଦି ବାର ଜାତିର ବଣ୍ୟ ଫୁଲଡାଳ ଓ କେରାଏ ଧାନଗଛ ମଧ୍ୟ ମିଳିମିଶି ସଂଗ୍ରହ କରିଥାନ୍ତି। ଏହାକୁ ‘ଫୁଲା ଲଳହା” ବା ‘ବନ ବୁଲା”କୁହାଯାଏ। ଫୁଲାଲଳହା ପରେ ‘କ୍ଷିରାବେଟା ସିନାନ୍” ପର୍ଯ୍ୟାୟ ଆସେ। ତେଲ, ହଳଦୀ, ଦାନ୍ତକାଠି, ଜହ୍ନିପତ୍ର ଧରି ଗାଧୋଇବାକୁ ଯାଆନ୍ତି କର୍ମତି।ପ୍ରତ୍ୟେକେ ପୁତ୍ରସ୍ୱରୂପ କାକୁଡ଼ିଟିଏକୁ ତେଲ, ହଳଦୀ ମଖାଇ ସ୍ନାନତୁଠରେ ଜହ୍ନିପତ୍ରର ଶଯ୍ୟାରେ ଶୁଆଇ ଦେଇଆସନ୍ତି। ଗୃହସ୍ଥଙ୍କ ପୂଜା ଅବସରରେ ଜଣେ ଅଭିଜ୍ଞ ବ୍ୟକ୍ତି ମୋଟ ଏଗାରଟି ମିଥ୍ ବିଶିଷ୍ଟ ତଥା କରମୁ ଓ ଧରମୁ ଚରିତ୍ର ଆଧାରିତ ‘କରମ କଥାଣି” କହନ୍ତି। ବଣିଜକାରୀ ସାଧବ କରମୁର ଅହଂକାର କାରଣରୁ ସାତ ସମୁଦ୍ର ଲଙ୍କା ପାରିରେ ଥିବା କରମଠାକୁରଙ୍କ ପୁନଃଅନୁସନ୍ଧାନ ଓ ଆବାହନ ପ୍ରସଙ୍ଗ କାହାଣୀରେ କଥିତ ହୁଏ। କଥାଣିର ପରିଣତିରେ କେବଳ କର୍ମ ଓ ଧର୍ମର ହିଁ ଜୟଗାନ କରାଯାଏ। ସଂଗୃହୀତ ସମସ୍ତ ପୂଜାସାମଗ୍ରୀ କାହାଣୀର କ୍ରମ ଓ ବିଷୟ ଆଧାରରେ କରମଦେବଙ୍କ ଉଦ୍ଦେଶ୍ୟରେ ସମର୍ପଣ ଓ ଲାଗି କରାଯାଏ। ଏଣୁ ଏଣିକି କରମଦେବ ‘କରମରାଜା” ରୂପେ କଥିତ ହୁଅନ୍ତି। ପୂଜାସ୍ଥଳରେ ଜାୱା ଓ କରମରାଜା ଏକାକାର ହୋଇଯାଆନ୍ତି। ସାଧାରଣ ଡାଳଟିଏ ଦେବତା, ଦେବତାରୁ ପୁଣି ମଣିଷ (ରାଜା)ରେ ରୂପାନ୍ତରିତ ହୋଇ ସମସ୍ତଙ୍କର ସୁଖଦୁଃଖର ସାଥୀ, ଅତି ଆପଣାର, ଉପାସ୍ୟଦେବତା ହୁଅନ୍ତି। ପୂଜା ଓ କାହାଣୀ କଥନ ପରେ ଆଉ ଜାୱାବେଢ଼ା ହୁଏନାହିଁ। କିନ୍ତୁ ଉପାସ୍ୟ କରମରାଜାଙ୍କ ଆଗରେ ଅଖଣ୍ଡ ଦୀପ ଜଳେ। କାହାଣୀର କଥକ କର୍ମତିଙ୍କୁ ପ୍ରଶ୍ନ କରନ୍ତି କରମ ପୂଜା କରି କଣ ପାଇଲ? ଉତ୍ତର ଆସେ -‘ ଆପନ୍ କରମ୍, ଭୈୟାକ୍ ଧରମ୍।” ଅର୍ଥାତ ଏହି ସବୁ ଉପାସନା କର୍ମ ଭାଇର ମଙ୍ଗଳ ଉଦ୍ଦେଶ୍ୟରେ ସମର୍ପିତ।ଏହିପରି ଭାବରେ ମାତୃତ୍ୱ ଲାଭର ଆଶାରେ କରମ ବ୍ରତକାରିଣୀମାନେ ଭାଇଙ୍କ ମଙ୍ଗଳ ପ୍ରତି ମଧ୍ୟ ଉନ୍ମୁଖ ରହିଥାନ୍ତି। ତତ୍ ପରେ କରମ୍ ଦେବଙ୍କୁ ପ୍ରୀତ କରିବା ପାଇଁ ତାଙ୍କ ଚତୁର୍ପାଶ୍ୱରେ କରମ ଗୀତ, ବାଦ୍ୟ ଓ ନାଚର ଆଖଡ଼ା ଜମେ। ସାଧାରଣ ଅଗଣା ହୁଏ ଜୀବନ୍ତ ସଚଳ କରମ-ଆଖଡ଼ା। ଝିଅବୋହୂ, ମାଆମାଉସୀ ସଭିଏଁ ହାତକୁହାତ ଛନ୍ଦି ନାଚନ୍ତି, ନୃତ୍ୟ ଓ ବାଦ୍ୟ-ନିପୁଣ ରସିକ, ପୁରୁଷଲୋକମାନେ ନିର୍ବାଧ ଢୋଲ, ମାଦଳ, ଧାମସା ବଜାନ୍ତି। ବଇଁଶୀ ଫୁଙ୍କନ୍ତି। ଗୀତ ବୋଲନ୍ତି।ଗୀତରେ ଫୁଟିଉଠେ ଦାମ୍ପତ୍ୟ ଜୀବନ, ପ୍ରେମପ୍ରତାରଣା, ଚାଷବାସ, ଦୁଃଖଦୈନ୍ୟ, ଆଶା ଆକାଂକ୍ଷା, ଅଭାବକଷଣ ଆଦି ବାସ୍ତବ ଜୀବନାନୁଭୂତିକୁ ଘେନି ହୃଦୟସ୍ପର୍ଶୀ ଗଭୀର ଜୀବନଦର୍ଶନ। ଏହିପରି ସାରା ରାତି ଗୀତ ଓ ନାଚର ଆସର ଜମେ। ସୁର୍ଯୋଦୟ ବେଳକୁ କରମଦେବଙ୍କ ଭସାଣି କରାଯାଏ। କର୍ମତି ଏକାଠି ହୁଅନ୍ତି। ସସମ୍ମାନେ କାନ୍ଧରେ କରମରାଜାଙ୍କ ସମେତ ସକଳ ପୂଜାସାମଗ୍ରୀକୁ ନେଇ ନିକଟସ୍ଥ ଜଳାଶୟରେ ଭସାଇ ଦିଆଯାଏ। ସେତେବେଳକୁ କରମରାଜା ସମସ୍ତଙ୍କ ମଧ୍ୟରୁ ଜଣେ ହୋଇସାରିଥାନ୍ତି। ତାଂକୁ ବିଦାୟ ଦେବା ଭାରି କଷ୍ଟକର ହୋଇଉଠେ। ଅଶ୍ରୁସଜଳ ନୟନରେ, ବାଷ୍ପରୁଦ୍ଧ ଗଳାରେ କର୍ମତି ଗାଇଉଠନ୍ତି…
“ଆଇଜରେ କରମ୍ ରାଜା ଘରେ ଦୁଆରେ,
କାଇଲରେ କରମ୍ ରାଜା କେଁଶ୍ ନଦିକ୍ ପାରେ।
ଆମ୍ ଫାବୁଳ୍ ଜାମ୍ ଫାବୁଳ୍ ବାଜିଗଲା କପାଳେ,
କାଇଲରେ କରମ୍ ରାଜା ଚାଲିଯିବ ସକାଳେ।
ଯାହୁ ଯାହୁ କରମରାଜା ଏହ ଛୟ ମାସ,
ଆଓତ ଭାଦର ମାସେ ଆନବଁ ଘୂରାୟ୍।” ହୃଦୟରେ ଗଭୀର ଛାପ ସୃଷ୍ଟିକରି କରମରାଜା ଚାଲିଯାଆନ୍ତି ପରବର୍ତ୍ତୀ ଭାଦ୍ର ଏକାଦଶୀର ପୁନରାଗମନ ପର୍ଯ୍ୟନ୍ତ। କରମଗୀତ ଗୁଣୁଗୁଣାଇ କୃଷିଜୀବୀ ଗୃହସ୍ଥମାନେ ବିଲରେ ବିଭିନ୍ନ ପ୍ରକାର ଡାଳପୋତି କୀଟପତଙ୍ଗର ଉପଦ୍ର୍ୱରୁ ଫସଲ ରକ୍ଷାର ତୁଟୁକା କରନ୍ତି। ଏହାକୁ “ଇନ୍ଦ୍ ଡାଳ’ କୁହାଯାଏ।ଅନ୍ୟପକ୍ଷରେ କର୍ମତିମାନେ ସାରୁପତ୍ରରେ ବାସୀ ପଖାଳ ଖାଇ “ପାରନା’ (ଉପବାସ ଭଙ୍ଗ)କରନ୍ତି। ଏହଭଳି ଭାବରେ ଜାୱାଉଠାର ନିୟମନିଷ୍ଠାରୁ ଆରମ୍ଭ ହୋଇଥିବା କରମପର୍ବର ସମାପ୍ତି ଘଟେ ଭାଇଚାରାପୂର୍ଣ୍ଣ ଗୋଟାଏ କରୁଣ, ମଧୁର ଆଧ୍ୟାତ୍ମିକ ପରିବେଶରେ। କରମରେ, ସାତଦିନ ବ୍ୟାପୀ ଚାଲିଥିବା ମାତୃତ୍ୱ ପ୍ରଶିକ୍ଷଣ କର୍ମଶାଳା ପାଲଟେ ନୃତ୍ୟଗୀତମୟ ପାରମ୍ପରିକ କଳା-ପ୍ରଦର୍ଶନୀ-ଆଖଡ଼ା। ପ୍ରକୃତି ଆରାଧନାର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଣତ ହୁଏ ସୁନାଫସଲ ଫଳାଇବାର ସାତ୍ତ୍ୱିକ ପ୍ରାର୍ଥନାରେ। ଏହିପରି ଭାବେ କେଉଁ ଅନାଦି କାଳରୁ ପ୍ରକୃତି ଓ କୃଷି, କର୍ମ ଓ ଧର୍ମ ପ୍ରିୟ କୁଡୁମିର ଆଦିମ ସ୍ପୃହାକୁ ଉଜ୍ଜୀବିତ କରି ଚାଲିଛି କରମ ପର୍ବର ବାଲି ଉଠା, ଜାୱା ଚର୍ଚ୍ଚା, ଆଖଳା ଥାପନା, ଡାଳ ପୂଜା ଓ ଇନ୍ଦ୍ ଡାଳ ପୋତା କାର୍ଯ୍ୟକ୍ରମ। ମାତୃତ୍ୱ ପରି କୋମଳ ହୃଦୟ ଘେନି ନିଜ ପରିସଂସ୍ଥାର ପରିପାଳନ ସହ ସହାବସ୍ଥାନ କରିବାର ସଂକେତ ବହନ କରି କେଉଁ ଅନାଦି କାଳରୁ ମନୁଷ୍ୟ ସମାଜକୁ ଅକୃତ୍ରିମ ବଂଚିରହିବାର ପ୍ରେରଣା ଦେଇଆସିଛି ଏହି ମହାନ ପର୍ବ। “କରମ୍ ପରବ୍’ର ଆଦର୍ଶ ଓ ଆଭିମୁଖ୍ୟଗତ ମୂଲ୍ଯବୋଧ ଆକଳନ କରିବା ସହଜସାଧ୍ୟ ବ୍ୟାପାର ନୁହେଁ। ଏଥିରେ ସମନ୍ୱିତ ଆଧ୍ୟାତ୍ମ ଚିନ୍ତା, ଜୀବନଚକ୍ର ଅନୁଶୀଳନ, କୃଷି ବୈଜ୍ଞାନିକ ଦୃଷ୍ଟିକୋଣ, ସାମାଜିକୀକରଣ (ଝକ୍ଟମସବକ୍ଷସଗ୍ଦବଗ୍ଧସକ୍ଟଦ୍ଭ) ପ୍ରକ୍ରିୟା, ପରିବେଶ ଓ ପ୍ରକୃତିପ୍ରାଣତା, ବାଦ୍ୟ-ନୃତ୍ୟ-ସଂଗୀତ କଳା ଆଦି ବିଷୟ ଏହାକୁ ଚିରନ୍ତନ ଉତ୍ସବର ଉପାଦାନ ଯୋଗାଇ ଆସିଛି। ଏସବୁ ବିଷୟର ଗହନ ତତ୍ତ୍ୱ ବ୍ୟାଖ୍ୟା କରିବା ଅଧିକ ଗବେଷଣା ସାପେକ୍ଷ।
