ପୁରୀ: ଆଗାମୀ ଦଶହରା ପୂଜା ଓ ମେଢ଼ ଭସାଣି ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳା, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କ ସହ ପୁରୀ ପୋଲିସ ପକ୍ଷରୁ ଏକ ସମନ୍ୱୟ ବୈଠକ ଟାଉନ ଥାନା ସ୍ଥିତ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପୁରୀ ଏସପି ପ୍ରତୀକ ସିଂହ, ଡେପୁଟି କମାଣ୍ଡାଣ୍ଟ ଦୀପକ ଗଡ଼ନାୟକ, ଏସି ଘନଶ୍ୟାମ ହେମ୍ବ୍ରମ, ସ୍ୱତନ୍ତ୍ର ସୁରକ୍ଷା ବାହିନୀର ଅଧିକାରୀ, ସିଟି ଡିଏସ୍?ପି ରଶ୍ମି ରଞ୍ଜନ ମହାପାତ୍ର, ସହର ଅଧୀନସ୍ଥ ସମସ୍ତ ଥାନାର ଆଇଆଇସି ଏବଂ ପୂଜା କମିଟିର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ବୈଠକରେ ଦଶହରା ପୂଜା ଓ ମେଢ଼ ଭସାଣି ସମୟରେ ଆଇନଶୃଙ୍ଖଳା ରକ୍ଷା, ପର୍ଯ୍ୟାପ୍ତ ପୋଲିସ ମୁତୟନ, ଯାତାୟାତ ନିୟନ୍ତ୍ରଣ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ କରିବା, ଭସାଣି ଶୋଭାଯାତ୍ରାର ରୁଟ୍ ନିର୍ଦ୍ଧାରଣ, ମେଢ଼ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା, ପେଣ୍ଡାଲରେ ବିଦ୍ୟୁତ୍ ସୁରକ୍ଷା, ସ୍ୱେଚ୍ଛାସେବୀଙ୍କ ପରିଚୟପତ୍ର ଏବଂ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା କରାଯାଇଥିଲା।ଡିଜେ ବଜାଇବା ଉପରେ ନିଷେଧ, ମଦ୍ୟପାନ ଓ ଅଯଥା ପ୍ରତିଯୋଗିତାକୁ ଏଡ଼ାଇବା ସହ ଶୋଭାଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ଭସାଣି ରୁଟ୍ ସମ୍ପର୍କିତ ସୂଚନା ଆଗୁଆ ଭାବେ ସ୍ଥାନୀୟ ଥାନା ଓ ଡିଆଇବିକୁ ପ୍ରଦାନ କରିବା, ପୋଲିସର ନିର୍ଦ୍ଦେଶାବଳୀ ପାଳନ କରିବା ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସମସ୍ତ ପୂଜା କମିଟି, ପ୍ରଶାସନ ଓ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରି ଦଶହରା ଉତ୍ସବ ଓ ଭସାଣି ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁରୁଖୁରୁରେ ସମ୍ପନ୍ନ କରିବା ଉପରେ ଏସ୍?ପି ଗୁରୁତ୍ୱାରୋପ କରିଥିଲେ।ପୁରୀ ପୋଲିସର ଅନୁରୋଧ ଦଶହରା ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ କରିବା ପାଇଁ ସମସ୍ତ ପୂଜା କମିଟି ଓ ଜନସାଧାରଣ ପୋଲିସର ନିର୍ଦ୍ଦେଶାବଳୀ ଓ ଟ୍ରାଫିକ୍ ନିୟମ ପାଳନ କରିବା ସହ ପୋଲିସକୁ ସହଯୋଗ କରନ୍ତୁ।
