କୋଲକାତା: ମଙ୍ଗଳବାର ସନ୍ଧ୍ୟାରେ କୋଲକାତାର କାଳୀଘାଟ ଅଞ୍ଚଳରେ ଥିବା ବାସଭବନ ନିକଟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ଛୁରୀ ଧରି ଜଣେ ମହିଳା ଆସିବାକୁ ଉଦ୍ୟମ କରିବା ବେଳେ ତାଙ୍କ ଉପରେ ଆକ୍ରମଣର ପ୍ରୟାସ ହୋଇଥିବା ଖବର ମିଳିଛି। ଏହା ପରେ ପୋଲିସ୍ ଉକ୍ତ ମହିଳାଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏହି ଘଟଣା ଘଟିଥିଲା। ସେତେବେଳେ ବାନାର୍ଜୀ ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଡୋଲା ସେନ୍ଙ୍କ ସହ ନିଜ ଅଞ୍ଚଳର ମିଳନ ସଂଘ ଦୁର୍ଗା ପୂଜା ପଣ୍ଡାଲ ପରିଦର୍ଶନ କରୁଥିଲେ। କାଳୀଘାଟ ଥାନାକୁ ଇ-ମେଲ୍ ଯୋଗେ ପଠାଯାଇଥିବା ଅଭିଯୋଗରେ ସେନ୍ ଦର୍ଶାଇଛନ୍ତି ଯେ ଉକ୍ତ ମହିଳା ନିଶାଗ୍ରସ୍ତ ଅବସ୍ଥାରେ ଥିଲେ। ସେ ବାନାର୍ଜୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହାତରେ ଛୁରି ଧରି ତାଙ୍କ ନିକଟକୁ ଆକ୍ରମଣାତ୍ମକ ଭାବେ ଆସିବାକୁ ଉଦ୍ୟମ କରିଥିଲେ। ଅଭିଯୋଗ ଅନୁଯାୟୀ, ମହିଳା ଜଣକ ବାନାର୍ଜୀଙ୍କୁ “ପିସି’ବୋଲି ସମ୍ବୋଧନ କରିଥିଲେ ଏବଂ ରାସ୍ତା ଉପରେ ବସି ହଟ୍ଟଗୋଳ ସୃଷ୍ଟି କରିବା ସହ ତାଙ୍କ ନିକଟକୁ ଯିବାକୁ ଚେଷ୍ଟା କରିଥିଲେ। ବାନାର୍ଜୀ ଜେଡ୍-ପ୍ଲସ୍ ବର୍ଗର ସୁରକ୍ଷା ବଳୟରେ ଥିବାରୁ ଏହି ସୁରକ୍ଷା ତ୍ରୁଟି ନେଇ ସେନ୍ ଉଦବେଗ ପ୍ରକାଶ କରିଛନ୍ତି। ସେନ୍ ଦାବି କରିଛନ୍ତି ଯେ ସେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦୁଇଜଣ ପୋଲିସ୍ କର୍ମଚାରୀଙ୍କୁ ଏ ବିଷୟରେ ଜଣାଇଥିଲେ, କିନ୍ତୁ ସେମାନେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ସେମାନେ କହିଥିଲେ ଯେ ଘଟଣାଟି କୋଲକାତା ପୋଲିସ୍ ଅଧୀନସ୍ଥ ଅଞ୍ଚଳରେ ଘଟିଛି। ଅଭିଯୋଗରେ ଏହି ଘଟଣାକୁ ଏକ ଷଡ଼ଯନ୍ତ୍ରର ଅଂଶବିଶେଷ ହୋଇପାରେ ବୋଲି ଦର୍ଶାଯାଇଛି ଏବଂ ଏହା ସହିତ ଦାଖଲ କରାଯାଇଥିବା ଫଟୋ ଓ ଭିଡିଓ ଫୁଟେଜ୍ର ଯାଞ୍ଚ କରି ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ଅନୁରୋଧ କରାଯାଇଛି। ଆମେ ସମ୍ପୃକ୍ତ ମହିଳାଙ୍କୁ ପଚରାଉଚରା କରୁଛୁ ଏବଂ ତାଙ୍କ ଆଚରଣ ପଛର କାରଣ ବୁଝିବାକୁ ଚେଷ୍ଟା କରୁଛୁ। ଆମେ ଘଟଣାର ଭିଡିଓ ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛୁ। ସାକ୍ଷୀମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ତୃଣମୂଳ କଂଗ୍ରେସ ନେତା ସାକେତ ଗୋଖଲେ ମଧ୍ୟ “ଏକ୍ସ’ ରେ ଏକ ପୋଷ୍ଟ ମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ, ଜଣେ ମହିଳା ଛୁରି ଧରି ବାନାର୍ଜୀଙ୍କ ବାସଭବନ ନିକଟରେ ତାଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।
