ନୀଳଗିରି :ସୋମବାର ଅପରାହ୍ନ ପ୍ରାୟ୨ଟା ସମୟରେ ହଠାତ୍ ବର୍ଷା ଓ ବିଜୁଳି ମାରିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ନୀଳଗିରି ବ୍ଲକ୍ ନରଣପୁର ପଞ୍ଚାୟତ ଡାଳିମ୍ବପାଳ ଗ୍ରାମର ରବିନ୍ଦ୍ର ମହାକୁଡଙ୍କ ପୁଅ ଚିତ୍ତରଞ୍ଜନ ମହାକୁଡ ଓରଫ ବାବୁଲି (୪୨) ନିକଟସ୍ଥ ବିଲକୁ ଘାସ କାଟିବା ପାଇଁ ଯାଇଥିଲେ। ଅପରାହ୍ନ ପ୍ରାୟ ୨ଟା ସମୟରେ ବିଲରେ ଘାସ କାଟୁଥିବା ସମୟରେ ବଜ୍ରପାତ ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ପରିବାରଲୋକ ବାବୁଲି ଫେରିବାରେ ବିଳମ୍ବହେବାରୁ ସନ୍ଧ୍ୟାରେ ବିଲକୁ ଖୋଜିବାପାଇଁ ଯାଇ ବାବୁଲିର ମୃତଦେହ ବିଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ବଜ୍ରପାତ ଯୋଗୁଁ ଯୁବକ ଚିତ୍ତରଞ୍ଜନଙ୍କ ଆଖି ସମ୍ପୂର୍ଣ୍ଣ ପୋଡିଯାଇଥିବା ଦେଖିଥିଲେ। ତୁରନ୍ତ ବରହମପୁର ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ମୃତଘୋଷଣା କରିଥିଲେ। ତେବେ ଖବର ଲେଖିଲା ବେଳକୁ ମୃତ ଚିତ୍ତରଞ୍ଜନଙ୍କ ଶବକୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ଆଜି ମଙ୍ଗଳବାର ଶବବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି। ପରିବାର ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ଜଣାପଡ଼ିଛି।
