ବାରିପଦା; ରାସଗୋବିନ୍ଦପୁର ବନାଞ୍ଚଳରେ ଥମୁନି ହାତୀଙ୍କ ଉପଦ୍ରବ। ଦିନକୁ ଦିନ ହାତୀ ଜନବସତି ମୁହାଁ ହେଉଥିବା ବେଳେ ଗତ ରାତିରେ ହାତୀପଲ ଖୁଣ୍ଟାପାଳ ଓ ମାଣିଦା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଶି ଘର ଭାଙ୍ଗିବା ସହ ଚାଷଜମିରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ହାତୀଙ୍କ ଗର୍ଜନ ଓ ଘର ଭାଙ୍ଗିବା ଶବ୍ଦରେ ରାତିରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ । ରାତିରେ ହାତୀପଲ ଚାଷଜମିରେ ପଶି ଧାନ ଓ ଅନ୍ୟାନ୍ୟ ଫସଲ ଦଳିଚକଟି ନଷ୍ଟ କରିଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ତେବେ ମୂଷାମାରି ର ଡାହିସାହି ଠାରେ ଟ୍ରାକ୍ଟର ଯୋଗେ ବାଉଁଶ କୁ ଟାଣୁଥିବା ବେଳେ ହଠାତ୍ ହାତୀ ଆସି ଆକ୍ରମଣ କରିଥିଲା । ଭୟ ରେ ଡ୍ରାଇଭର ଗାଡ଼ି ଛାଡି ପଳାଇଥିଲେ । ହାତୀ ଟି ଦୀର୍ଘ ସମୟଧରି ରହି ଟ୍ରାକ୍ଟର ଟି ଠେଲିବାକୁ ଓ ଟାଣିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା । ପରେ ଟ୍ରାକ୍ଟର ରେ ଲାଗିଥିବା ରଶି କୁ ଶୁଣ୍ଢ ଧରି ଟାଣିବାକୁ ଲାଗିଥିଲା । ତେବେ ଆଜି ଅମରଦା ପଞ୍ଚାୟତ ବାଉଶୁଳି ଠାରେ ପିଲାମାନେ ଫୁଟବଲ ଖେଳୁଥିବା ବେଳେ ହଠାତ୍ ଏକ ହାତୀ ପଡିଆ କୁ ପ୍ରବେଶ କରିଥିଲା । ପିଲାମାନେ ଫୁଟବଲ ଛାଡି ଦୂର କୁ ପଳାଇଥିଲେ । ହାତୀ ଟି କିଛି ସମୟ ଧରି ଫୁଟବଲ ଖେଳୁଥିଲା। ପରେ ଗୋଡ଼ ରେ ଫୁଟବଲ କୁ ମାଡି ଦେବାରୁ ଫୁଟବଲ ଟି ଫାଟିଯାଇଥିଲା । ବଲଟି ଫାଟିବା ପରେ ହାତୀ ଟି ପଳାଇଯାଇଥିଲା ।
