ନୂଆଦିଲ୍ଲୀ : ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚଗୁଡିକରେ ସଞ୍ଜୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ । ସେ ବେଞ୍ଚରେ ବସି ଦଳର ଖେଳ ଦେଖୁଥିଲେ । କିନ୍ତୁ ତାଙ୍କ ଆଖିରେ ଥିଲା ନିଜକୁ ପ୍ରମାଣିତ କରିବାର ଅଦମ୍ୟ ଶୋଷ । ଯେତେବେଳେ ଦଳ ତାଙ୍କୁ ସୁଯୋଗ ଦେଲା, ସେ ସମସ୍ତଙ୍କୁ ଦେଖାଇଦେଲେ ସେ କ’ଣ କରିପାରିବେ । ନିଜର ଶାଣିତ ବ୍ୟାଟିଂ ଏବଂ ଧୈର୍ଯ୍ୟ ବଳରେ ସେ ଭାରତକୁ ବିଶ୍ୱବିଜେତା ବନାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେଦିନ ବେଞ୍ଚରୁ ଆସି ସେ ହିରୋ ବନିଯାଇଥିଲେ। ଆଜି ପୁଣି ସେହି ସମାନ ପରିସ୍ଥିତି ଦେଖିବାକୁ ମିଳୁଛି ଆଇପିଏଲ ୨୦୨୬ରେ। ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିବା ସଞ୍ଜୁଙ୍କ ପାଇଁ ସିଜନର ଆରମ୍ଭ ଅତ୍ୟନ୍ତନୈରାଶ୍ୟଜନକ ଥିଲା । ପ୍ରଥମ ତିନୋଟି ମ୍ୟାଚରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ସଞ୍ଜୁଙ୍କ ବ୍ୟାଟରୁ ମାତ୍ର ୬, ୭, ଏବଂ ୯ ରନବାହାରିଥିଲା। ସମାଲୋଚକମାନେ ପୁଣିଥରେ ସ୍ୱର ଉତ୍ତୋଳନ କଲେ, ତାଙ୍କ ସ୍ଥିରତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା । ହେଲେ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା ରଖିଥିଲା । ସମସ୍ତେ ଜାଣିଥିଲେ ଝଡ଼ ପୂର୍ବରୁ ଆକାଶ ସବୁବେଳେ ଶାନ୍ତ ରହିଥାଏ । ଦିଲ୍ଲୀ ବିପକ୍ଷ ମ୍ୟାଚରେ ପ୍ରଶଂସକମାନେ ଦେଖିଲେ ସଞ୍ଜୁଙ୍କ ଅସଲ ରୂପ । ଯେତେବେଳେ ଦଳ ଚାପରେ ଥିଲା, ସେତେବେଳେ ସଞ୍ଜୁ ନିଜର ସ୍ୱାଭାବିକ ଖେଳ ପ୍ରଦର୍ଶନ କଲେ । ମୈଦାନର ଚତୁର୍ଦ୍ଦିଗକୁ ଚୌକା ଓ ଛକା ବର୍ଷା କରି ସେ ପ୍ରମାଣ କଲେ ଯେ ସେ ଏବେ ଲୟକୁ ଫେରିଛନ୍ତି । ଆଇପିଏଲରେ ଏହି ଶତକ ସହ ସଞ୍ଜୁ ମୋଟ୍ ୪ ଶତକରେ ପହଞ୍ଚିଛନ୍ତି । ସେ ଶେଷ ଶତକ ୨୦୨୧ରେ ହାସଲ କରିଥିଲେ ।
