ନୂଆଦିଲ୍ଲୀ : ଆଉ ମାତ୍ର ୨ମାସ ପରେ ଆରମ୍ଭ ହେବ ବିଶ୍ୱର ସବୁଠୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ଫିଫା ବିଶ୍ୱକପ୍ । ଆୟୋଜକ ଚଢ଼ା ଦାମରେ ଟିକେଟ୍ ବିକ୍ରି କରିବାରେ ବ୍ୟସ୍ତ । ହେଲେ ବିଶ୍ୱକପ୍ର ପ୍ରସାରଣ ଅଧିକାରକୁ ନେଇ ଭାରତୀୟ ପ୍ରସାରକ ଆଗ୍ରହୀ ନାହାନ୍ତି । ଭାରତରେ ବିଶ୍ୱକପ୍ ପ୍ରସାରଣ କରିବା ପାଇଁ ଫିଫା ପ୍ରସାରକ ଖୋଜିବାରେ ବ୍ୟସ୍ତ । ହେଲେ ଭାରତୀୟ ପ୍ରସାରକ ବିଶ୍ୱକପ ପ୍ରସାରଣ ଅଧିକାର କିଣିବାକୁ ଚାହୁଁ ନାହାନ୍ତି । ଆସନ୍ତା ଜୁନ ଓ ଜୁଲାଇ ମାସରେ ବିଶ୍ୱକପ୍ ଆୟୋଜିତ ହେବ । ଆମେରିକା (ୟୁଏସଏ), ମେକ୍ସିକୋ ଓ କାନାଡ଼ା ମିଳିତ ଭାବେ ଏଥର ବିଶ୍ୱକପ ଆୟୋଜନ କରୁଛନ୍ତି ।ଭାରତ କ୍ରୀଡ଼ାର ସବୁଠୁ ଲୋକପ୍ରିୟ ଦେଶ । ତଥାପି ଭାରତୀୟ ପ୍ରସାରକମାନେ ବିଶ୍ୱକପ୍ର ପ୍ରସାରଣ ଅଧିକାର କିଣିବାକୁ ଚାହୁଁ ନାହାନ୍ତି । ଭାରତରେ ବିଶ୍ୱକପ ପ୍ରସାରଣ ଅଧିକାର ବିକ୍ରି କରିବା ପାଇଁ ଫିଫା ପ୍ରଥମେ ୧୦୦ମିଲିୟନ ଡଲାର (୯୩୦.୯ କୋଟି ଟଙ୍କା) ମୂଲ୍ୟ ଧାର୍ଯ୍ୟ କରିଥିଲା । ମାତ୍ର ଭାରତୀୟ ପ୍ରସାରଣ କମ୍ପାନୀମାନେ ବିଡ୍ ଦାଖଲ କରି ନଥିଲେ । ବର୍ତ୍ତମାନ ଫିଫା ୬୫% ରିହାତି କରି ୩୫ ମିଲିୟନ ଡଲାର (୩୨୫.୮୨ କୋଟି ଟଙ୍କା)ରେ ସୀମିତ ରଖିଛି । ତଥାପି ପ୍ରସାରଣ ଅଧିକାର କିଣିବାକୁ କେହି ରାଜି ହେଉ ନାହାନ୍ତି । ଏହା ପଛର ଅସଲ କାରଣ ରହିଛି ମ୍ୟାଚ୍ ଆୟୋଜନ ସମୟ । ଭାରତୀୟ ସମୟ ଅନୁଯାୟୀ ବିଶ୍ୱକପ୍ର ଅଧିକାଂଶ ମ୍ୟାଚ ସକାଳ ୭ଟାରେ ଆରମ୍ଭ ହେବ । ଏହି ସମୟ ବେଳକୁ ଭାରତରେ କେହି ମ୍ୟାଚ ଦେଖିବା ସ୍ଥିତିରେ ନଥିବେ । ତେଣୁ ମ୍ୟାଚ୍ ପ୍ରସାରକଙ୍କୁ ବିଜ୍ଞାପନଦାତା ମିଳିବେ ନାହିଁ । କେବଳ ପ୍ରସାରକ ସଂସ୍ଥା କ୍ଷତି ସହିବା ସାର ହେବ । ବିଶ୍ୱକପ୍ର ମୋଟ୍ ୧୦୪ଟି ମ୍ୟାଚ ମଧ୍ୟରୁ କେବଳ ୧୩ଟି ମ୍ୟାଚ ଭାରତୀୟ ସମୟ ଅନୁଯାୟୀ ରାତି ୯.୩୦ ଓ ରାତି ୧୨ଟାରେ ଆରମ୍ଭ ହେବ । ୨୦୨୨ କତାର ବିଶ୍ୱକପ୍ ବେଳେ ସମସ୍ତ ମ୍ୟାଚ ଭାରତୀୟ ସମୟରେ ଅପରାହ୍ଣ ଓ ରାତ୍ରିରେ ଖେଳାଯାଉଥିଲା । ଫଳରେ ଭାରତୀୟମାନେ ମ୍ୟାଚ ଦେଖିବାକୁ ଯଥେଷ୍ଟ ସମୟ ପାଉଥିଲେ । ଭାରତରେ ୭୪୫ ମିଲିୟନ ଦର୍ଶକ କତାର ବିଶ୍ୱକପ୍ ଦେଖିଥିବା ଫିଫା ଏକ ରିପୋର୍ଟରେ ପ୍ରକାଶ କରିଥିଲା । ସେତେବେଳେ ପ୍ରସାରକମାନେ ବହୁ ଅର୍ଥ ଆୟ କରିଥିଲେ । ଭାଏକମ ୧୮ ଓ ଷ୍ଟାର ଇଣ୍ଡିଆର ମିଶ୍ରଣ ହୋଇ ଜିଓଷ୍ଟାର ଭାବେ ଗୋଟିଏ କମ୍ପାନୀ ହେବା ପରେ ପ୍ରସାରଣ ଅଧିକାର ପାଇଁ ହେଉଥିବା ପ୍ରତିଦ୍ୱନ୍ଦ୍ୱିତାରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି ।
