ପୁରୀ: ଭାଦ୍ରବ ମାସରେ ଅନେକ ଓଷାବ୍ରତ ମଧ୍ୟରୁ ଗୋଟିଏ ହେଉଛି ବୁଧେଇ ଓଷା। ଏହାକୁ ବୁଧିବାମନ ଓଷା ମଧ୍ୟ କହନ୍ତି। ଦେବତାମାନଙ୍କର ପରିସର ଭାବରେ ପରିଚିତ ବୁଧଗ୍ରହଙ୍କ ନାମାନୁସାରେ ସପ୍ତାହର ଗୋଟିଏ ବାରର ନାମ ବୁଧବାର। ଏହି ବାରରେ ବୁଧେଇ ଓଷା ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପରଦିନଠାରୁ ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁପୂର୍ଣ୍ଣିମା ପର୍ଯ୍ୟନ୍ତ, ପ୍ରତ୍ୟେକ ବୁଧବାରରେ ସଧବା ସ୍ତ୍ରୀ ମାନେ ଉପବାସ ରହି ଏହି ବ୍ରତପାଳନ କରିଥାନ୍ତି। ବୁଦ୍ଧି ବା ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା । ବାମନ କହିଲେ ଭୈରବ, ଯିଏ ସ୍ୱୟଂ ଜଗନ୍ନାଥ । ଅତଏବ ଏହି ଓଷାରେ ଆରାଧ୍ୟ ଦେବଦେବୀ ହେଲେ ଶ୍ରୀଜଗନ୍ନାଥ ଓ ବିମଳା କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଓଷାରେ ନାରୀରୂପୀ ବୁଧି ବାମଙ୍ଗଳାଙ୍କୁ ପୂଜା କରାଯାଏ । କାରଣ ଏମାନେ ସୃଷ୍ଟିକର୍ତ୍ତା । ସଧବା ନାରୀ ମାନେ ଏହି ଓଷା ପାଳନ କରନ୍ତି । ଶ୍ରୀକ୍ଷେତ୍ରର ସାହି ଗଳିକନ୍ଦିରେ ସଧବା ନାରୀମାନେ ଏକତ୍ରୀତ ହୋଇ ବୁଧେଇ ବ୍ରତ ପାଳନ କରିବା ସହ ହୁଲହୁଳି ଦେଇ ନିଷ୍ଠା ଓ ଭକ୍ତିର ସହ ଦେବୀ ମା ବୁଧେଇଙ୍କ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା । ଶିଳ ଏବଂ ଶିଳପୁଆ ରେ ଦେବାଦେବୀଙ୍କୁ ପୁଜା କରନ୍ତି । ଏହି ବ୍ରତରେ ଗୋଟିଏ ଶିଳ ଓ ଶିଳପୁଆକୁ ଧୋଇ, ପୋଛି ଏକ ପିଢ଼ାର ଆସ୍ଥାନ ଉପରେ ସ୍ଥାପନ କରିଛନ୍ତି। ଅଁଳାକୁ ଗଙ୍ଗାଜଳରେ ଧୋଇ, ତା ସହିତ ହଳଦୀ ଓ ମେଥି ବାଟି, ସେଥିରେ ଦୁଇଟି ମୂର୍ତ୍ତି ଶିଳ ଓ ଶିଳପୂଆ ଉପରେ ପ୍ରସ୍ତୁତ କରିଥିଲେ। ଏହି ଦୁଇ ମୂର୍ତ୍ତିଙ୍କର ନାମ ବୁଧେଇ ଓ ସୁଧେଇ । କଉଡ଼ି ଓ ଗଳିଗୁଆରେ ସେହି ମୂର୍ତ୍ତିଙ୍କର ଆଖି, ନାକ, କାନ ଓ ପାଟି ଆଦି ତିଆରି କରି, ଆଖିରେ କଜ୍ଜ୍ୱଳ ଓ ମଥାରେ ସିନ୍ଦୂର ଲଗାଇଛନ୍ତି। ହଳଦିଆ ଫୁଲ ଓ ବେଲପତ୍ରରେ ମୂର୍ତ୍ତିଙ୍କୁ ସଜାଇ, ନାଲିଶାଢ଼ି ପିନ୍ଧାଇ ଓଢ଼ଣା କରିଛନ୍ତି । କେତେକ ସ୍ଥାନରେ ଫୁଲମାଳ ସହିତ ସେହି ହଳଦୀରେ ଗଢ଼ା ପ୍ରତିମାଙ୍କୁ ଖଇମାଳ ମଧ୍ୟ ପିନ୍ଧାଇଛନ୍ତି। ଓଷା କୋଠି ଆଗରେ ପାଞ୍ଚରଙ୍ଗର ଫୁଲ, ପାଞ୍ଚରଙ୍ଗର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୂବ ଓ ପାଞ୍ଚଟି ଅକ୍ଷତ ରଖି, ଆସ୍ଥାନ ପାଖରେ ସଂକଳ୍ପ ନଡ଼ିଆ ଥାପି ପୂଜା ଆରମ୍ଭ କରିଛନ୍ତି । ବୁଧେଇ ଓଷା ବ୍ରତକଥା ବହି ପଢ଼ି ବସିଥିବା ମହିଳାମାନେ ଶ୍ରବଣ କରିଛନ୍ତି । ବୁଧେଇ ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା ଭାଦ୍ରବ ମାସର ୪ଟି କିମ୍ବା ପାଞ୍ଚଟି ବୁଧବାରରେ ପାଳିତ ହୁଏ । କେତେକ ସ୍ଥାନରେ ୫ଟି ବୁଧବାରରେ ପାଳିତ ହୁଏ ।ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଏହି ଓଷା କରିଥାନ୍ତି । ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ । ବୁଦ୍ଧିବାମନ ଓଷାର ପରମ୍ପରା ମତେ ପୂଜାସ୍ଥଳୀଟିକୁ ଗୋବର ଲିପି ଶୁଚି କରାଯାଏ । ଏଥିରେ ବେଲପତ୍ର, ଫୁଲମାଳ ଏବଂ ଖଇମାଳରେ ଠାକୁରଙ୍କୁ ଲାଗି କରାଯାଏ ।

ପ୍ରଥମ ପାଳିରୁ ଏଥିରେ ଗୋଟିଏ ନଡ଼ିଆ ବସାଯାଇ, ଶେଷ ପାଳିଦିନ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ । ମଝିପାଳି ଗୁଡ଼ିକରେ ପିଠାପଣା ଭୋଗରାଗ ହୁଏ । ତେବେ ଶେଷ ପାଳି ଦିନ ଅନ୍ତତଃ ପାଞ୍ଚପ୍ରକାର ପିଠାପଣା କରାଯାଏ । ପ୍ରତ୍ୟେକ ବୁଧବାର ଦିନଯାକ ଉପବାସ କରି ରାତିରେ ପୂଜାପରେ ଭୋଗ ଖିଆଯାଏ । ଶିଳ ଏବଂ ଶିଳପୁଆ ଏହାର ଦେବଦେବୀ ଅଟନ୍ତି । ପ୍ରଥମେ ଏହି ଶିଳ ଏବଂ ଶିଳପୁଆକୁ ବଟା ଅଁଳା ପାଣି ସହ ଗଙ୍ଗାଜଳରେ ସ୍ନାନ କରାଯାଇ, ହଳଦୀକନା ଓ ସୂତା ଗୁଡ଼ାଇ ନାରୀବେଶ କରାଯାଏ । ମଥାରେ ସିନ୍ଦୂର ଓ ଆଖିରେ କଜ୍ୱଳ ଦିଆଯାଏ । ବୁଦ୍ଧିବାମନଙ୍କ ଓଷା ପାଇଁ ସ୍ୱତନ୍ତ୍ର ବହି ଅଛି । ଏହା ପାଞ୍ଚଟି କାହାଣୀକୁ ନେଇ ରଚିତ, କାହାଣିଗୁଡ଼ିକ ହେଲା ମଗଧର ସାଧବ ସାଧବାଣୀ, ଯଯାତିନଗରର ଶୁଣ୍ଢି-ଶୁଣ୍ଢିଆଣୀ, ଯାଜପୁରର ବନ୍ଧୁ ମହାନ୍ତି, ଗର୍ଭଶୂନ୍ୟା ବ୍ରାହ୍ମଣୀ ଓ ହରିପୁରର ଜଣେ ସାଧାରଣ ନାରୀ । ବିଶ୍ୱାସ କରାଯାଏ ଅନିଃସନ୍ତାନ ମହିଳା ପ୍ରଥମ ପାଳିରୁ ଗୋଟେ ଶାଢି, ପୂଜାଘର ଦୁଆର ମୁହଁରେ ପକାଇଲେ, ସମସ୍ତଙ୍କ ପବିତ୍ର ପଦସ୍ପର୍ଶ ଯୋଗୁଁ ସେ କୃତାର୍ଥ ହୁଏ ଏବଂ ସନ୍ତାନ ପ୍ରସବା ହୁଏ । ଏହି ଲୁଗାକୁ ପାହାଡା କୁହାଯାଏ । ଦ୍ୱିତୀୟ ବୁଧବାର ଶ୍ରୀକ୍ଷେତ୍ରର ସାହି ଗଳିକନ୍ଦିରେ ବୁଧେଇ ଓଷା ନିଷ୍ଠାର ସହ ଭକ୍ତି ଓ ଶ୍ରଦ୍ଧାରେ ପାଳିତ ହୋଇଯାଇଛି । ବୁଧେଇ ଦେବୀଙ୍କ ମୁଣ୍ଡରେ ଫୁଲ, ଚନ୍ଦନ, ସିନ୍ଦୁର, ହଳଦି ଦେବା ସହ ବିଭିନ୍ନ ରଙ୍ଗୀନ ଶାଢୀ ଓ ଆଲୋକ ମାଳାରେ ଘର ମାନଙ୍କରେ ସୁସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ବୁଧେଇ ବ୍ରତ କୋଠି ଘରରେ ହୁଳହୁଳିରେ ପ୍ରକମ୍ପିତ ହୋଇଛି । କଦଳୀ,ସେଉ, ଅଙ୍ଗୁର, ପିଜୁଳି, ଖଇ କୋରା ସହ ବିଭିନ୍ନ ପିଠା ଆଦି ପୂଜାସ୍ଥଳରେ ଭୋଗ ବଢା ଯାଇଥିବା ଦେଖିବାକୁ ମିଳିଥିଲା । ବୁଧେଇ ବ୍ରତ ପାଠ କରିଥିଲେ ସଧବା ମହିଳାମାନେ । ଧୂପ ଦୀପ ଓ ସୁଗନ୍ଧିତ ପୁଷ୍ପରେ ମହକୁଥିଲା ପୂଜା ପରିସର । ସଧବା ନାରୀ ମାନେ ନିଷ୍ଠା ଓ ଭକ୍ତିର ସହ ଦିନତମାମ ଉପବାସ ରହି ମା ବୁଧେଇଙ୍କ ପୂଜାର୍ଚ୍ଚନା କରି ଘରର ମଙ୍ଗଳ କାମନା ସହ ନିଜର ମନୋସ୍କାମନା ପୂରଣ ପାଇଁ ମାଙ୍କ ନିକଟରେ ସମର୍ପିତ ହୋଇ ଏକତ୍ରୀତ ମୁଣ୍ଡିଆ ମାରିବା ଦେଖିବାକୁ ମିଳିଥିଲା ।
ଭାବ ଭକ୍ତିର ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
