ବାରିପଦା ; ମୟୂରଭଞ୍ଜ ଜିଲ୍ଲା, ରାସଗୋବିନ୍ଦପୁର ବ୍ଲକ, ରଙ୍ଗାମାଟିଆସ୍ଥିତ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଓ଼ ଗବେଷଣା କେନ୍ଦ୍ରରେ ଲୋକଙ୍କ ଚିକିତ୍ସା ଖାମଖିଆଲି ନୀତିରେ ଚାଲୁଥିବାରୁ ରୋଗୀ ମାନେ ଚିକିତ୍ସିତ ହୋଇ ଭଲ ହେବା ପରିବର୍ତ୍ତେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ସୂଚନା ଅନୁଯାୟୀ,ଉକ୍ତ ଚକ୍ଷୁ ଚିକିତ୍ସାଳୟର ଭ୍ୟାନ ବର୍ଷ ତମାମ ବିଭିନ୍ନ ବ୍ଲକର ଗାଁକୁ ଗାଁ ବୁଲି ରୋଗୀଙ୍କୁ ଡାକ୍ତରଖାନାକୁ ଆଣି ଚିକିତ୍ସା କରନ୍ତି। କିନ୍ତୁ ଉକ୍ତ ଚିକିତ୍ସା ଲୋକ ଦେଖାଣିଆ ଏବଂ ଲୋକଙ୍କୁ ଜୋରଜବରଦସ୍ତ ଆଖି ଅସ୍ତ୍ରୋପଚାର କରନ୍ତି ବୋଲି ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ,ମୋରଡା ବ୍ଲକ ଅଧୀନ ଚିତ୍ରଡା ଏନଏସି ଅନ୍ତର୍ଗତ ହଳଦୀପାଳ ଗ୍ରାମର ବୃଦ୍ଧ ଭଗିରଥ ବେହେରାଙ୍କୁ ଉକ୍ତ ଡାକ୍ତରଖାନାର ଜଣେ ମହିଳା କର୍ମଚାରୀ ଘରେ ପହଁଞ୍ଚି ଆଖି ଭଲ କରିଦେବେ କହି ଡାକ୍ତରଖାନାକୁ ନେଇଥିଲେ। ତେବେ ଭଗିରଥଙ୍କ ପୁଅ ଘରେ ନଥିବା ସମୟରେ ଜୋରଜବରଦସ୍ତ ଘରୁ ଆଧାରକାର୍ଡ ନେଇ ତାଙ୍କର କେବଳ ଆଖି ଟେଷ୍ଟ କରାଯିବ, ଅପେରସନ ହେବ ନାହିଁ ବୋଲି କହି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ପରିସ୍ଥିତି ଭିନ୍ନ ଥିଲା। ଡାକ୍ତରଖାନାରେ ଭଗିରଥଙ୍କୁ ପାଗଳ କହି ଜୋରଜବରଦସ୍ତ ଆଖି ଅପରେସନ କରାଗଲା। ତେବେ ଅସ୍ତ୍ରୋପଚାର ପରେ ଆଖି ଭଲ ହେବା ବଦଳରେ ଭଗିରଥଙ୍କ ଦୃଷ୍ଟି ଶକ୍ତି ଏତେ କମିଛିଯେ, ସେ ନିଜେ କୁଆଡେ ଏକାକୀ ଯାଇ ପାରୁ ନାହାନ୍ତି। ଆଶା ବାଡ଼ି ଭଳି ତାଙ୍କ ସହିତ କେହି ଜଣେ ଦରକାର। ଏହାକୁ ନେଇ ସେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି। ତେବେ ଘଟଣାକୁ ନେଇ ଭଗିରଥ ଜିଲାପାଳଙ୍କ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାକୁ ନେଇ ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟର ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ଘଟଣାର ସଠିକ ତଦନ୍ତ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।
