ପୁରୀ: ଦିନ ଗଡ଼ୁଛି, ହେଲେ ପୁରୀବାସୀଙ୍କ ଦାବି ଓ ସଂକଳ୍ପରେ ଆସିନାହିଁ କୌଣସି ଭଟ୍ଟା। ନିଜର ନ୍ୟାୟସଙ୍ଗତ ଅଧିକାର ପାଇଁ ସତ୍ୟ ଓ ଅହିଂସାର ମାର୍ଗରେ ଜାରି ରହିଥିବା ସଚେତନତା ସତ୍ୟାଗ୍ରହ ପଦଯାତ୍ରା ଆଜି ୧୫୫ ଦିନରେ ପହଞ୍ଚିଛି। ଦାବି ପୂରଣ ହୋଇନଥିଲେ ମଧ୍ୟ ସତ୍ୟାଗ୍ରହୀଙ୍କ ପଦକ୍ଷେପ ଥମିନାହିଁ, ବରଂ ଦିନକୁ ଦିନ ଅଧିକ ଦୃଢ଼ ହେଉଛି ସଂକଳ୍ପ। ପୁରୀବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଓ ସମ୍ମାନଜନକ ବ୍ୟବସ୍ଥା କରିବା ଦାବିରେ ଗତ ଏପ୍ରିଲ ୧, ଉତ୍କଳ ଦିବସରୁ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ସରକାରଙ୍କ ଦୃଷ୍ଟି ଆକର୍ଷଣ ସହ ଜନସାଧାରଣଙ୍କ ମଧ୍ୟରେ ଅଧିକାର ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିଦିନ ଶାନ୍ତିପୂର୍ଣ୍ଣ ଭାବେ ଏହି ପଦଯାତ୍ରା ଜାରି ରହିଛି। ଆଜି ମଧ୍ୟ ସତ୍ୟାଗ୍ରହୀମାନେ ଭକ୍ତ ସାଲବେଗ ପୀଠରେ ଏକତ୍ରିତ ହୋଇ ଶ୍ରୀମନ୍ଦିର ଅଭିମୁଖେ ପଦଯାତ୍ରା କରିଥିଲେ।

ଶ୍ରୀମନ୍ଦିର ନିକଟରେ ପହଞ୍ଚି ପତିତପାବନଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ଦାବି ପୂରଣ ଏବଂ ପୂର୍ବପରି ଦର୍ଶନ ବ୍ୟବସ୍ଥା ପୁନଃସ୍ଥାପନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ସତ୍ୟାଗ୍ରହ ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ୧୫୫ ଦିନ ଧରି ପୁରୀବାସୀ ନିଜ ଅଧିକାରର ପ୍ରଶ୍ନକୁ ଶାନ୍ତି, ସତ୍ୟ ଓ ଅହିଂସାର ମାଧ୍ୟମରେ ସରକାର ଓ ସମାଜ ସମ୍ମୁଖରେ ରଖିଆସୁଛନ୍ତି। ଏହି ପଦଯାତ୍ରା କେବଳ ଏକ ଆନ୍ଦୋଳନ ନୁହେଁ; ଏହା ପୁରୀବାସୀଙ୍କ ଆସ୍ଥା, ପରମ୍ପରା, ଭାବନା ଓ ଅଧିକାରର ଏକ ସ୍ୱାଭାବିକ ସ୍ୱର। ସେ ଆହୁରି କହିଛନ୍ତି ଯେ, ଏହି ସତ୍ୟାଗ୍ରହ କୌଣସି ବ୍ୟକ୍ତି, ରାଜନୈତିକ ଦଳ କିମ୍ବା ସରକାର ବିରୋଧରେ ନୁହେଁ। ଏହା ପୁରୀବାସୀଙ୍କ ନ୍ୟାୟସଙ୍ଗତ ଅଧିକାର ଓ ଧାର୍ମିକ ଭାବନାର ସୁରକ୍ଷା ପାଇଁ ଏକ ଶାନ୍ତିପୂର୍ଣ୍ଣ ଅହିଂସାମୂଳକ ପ୍ରୟାସ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ପଦଯାତ୍ରା ଜାରି ରହିବ ବୋଲି ସେ ଦୃଢ଼ତାର ସହ କହିଛନ୍ତି।

ବୁଧବାର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, ଶିଶିରକାନ୍ତ ଶତପଥୀ, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ଅଞ୍ଜୁବାଳା ମହାନ୍ତି, ସୀତା କୁମାରୀ ପୂଜା ଦାସ, ରିୟା, ରଶ୍ମି ବାରିକ, ରିମଝିମ୍ ଦାଶ, ଆରୋହୀ ବେହେରା, ମମତା ସ୍ୱାଇଁ, ରମେଶ ଚନ୍ଦ୍ର ମହାନ୍ତି, ସନ୍ତୋଷ ସେନାପତି, ପ୍ରକାଶ ଚନ୍ଦ୍ର ନାୟକ, ଜଗଦାନନ୍ଦ ରାୟ, ସୁବାଷ ପଟ୍ଟନାୟକ, ବାପିନା ସାମନ୍ତରାୟ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଯୋଗଦେଇଥିଲେ।୧୫୫ ଦିନର ଏହି ଯାତ୍ରା ଏବେ ଏକ ସଂଖ୍ୟା ନୁହେଁ; ଏହା ପୁରୀବାସୀଙ୍କ ଧୈର୍ଯ୍ୟ, ଏକତା ଓ ଅଧିକାର ପାଇଁ ଅଟଳ ସଂକଳ୍ପର ପ୍ରତୀକ। ଦାବି ପୂରଣ ପାଇଁ ସତ୍ୟ ଓ ଅହିଂସାର ଏହି ପଥ ଆଗକୁ ମଧ୍ୟ ଜାରି ରହିବ। ମହାପ୍ରଭୁଙ୍କ ଆଶୀର୍ବାଦରେ ନ୍ୟାୟର ଏହି ସ୍ୱର ନିଶ୍ଚୟ ତାହାର ଗନ୍ତବ୍ୟରେ ପହଞ୍ଚିବ।
