ନୂଆଦିଲ୍ଲୀ: ଇରାନ ସହ ଦୁଇ ସପ୍ତାହର ଯୁଦ୍ଧ ବିରତି ଲାଗୁ ହୋଇଥିବା ବେଳେ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହରାନକୁ ପୁଣି ଧମକ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଚୂଡ଼ାନ୍ତ ବୁଝାମଣା ସଫଳ ନ ହେବା ଯାଏ ଆମେରିକା ସୁରକ୍ଷା ବଳ ଇରାନରେ ଓ ଆଖପାଖ ଅଞ୍ଚଳରେ ପୂର୍ବଭଳି ରହିବେ। ସେହିପରି ଦରକାର ପଡ଼ିଲେ ଇରାନ ଉପରେ ସବୁ ଠାରୁ ବଡ଼ ଆକ୍ରମଣ କରିବାକୁ ଆମେରିକା ପଛାଇବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ଟ୍ରୁଥ ସୋଶାଲରେ ଟ୍ରମ୍ପ କହିଛନ୍ତି, “ସମସ୍ତ ଆମେରିକୀୟ ଜାହାଜ, ଯୁଦ୍ଧ ବିମାନ ଓ ସୁରକ୍ଷାକର୍ମୀ ଅତିରିକ୍ତ ଗୁଳିଗୋଳା, ଯୁଦ୍ଧାସ୍ତ୍ର ଓ ପୂର୍ବରୁ ହିଁ ଅତ୍ୟନ୍ତ ଦୁର୍ବଳ ହୋଇ ସାରିଥିବା ଶତ୍ରୁ ଦେଶର ବିନାଶ ପାଇଁ ଉପଯୁକ୍ତ ଏବଂ ଆବଶ୍ୟକ ଅନ୍ୟ ସମସ୍ତ ଜିନିଷ ସହ ଇରାନରେ ଓ ଆଖପାଖ ଅଞ୍ଚଳରେ ମୁତୟନ ହୋଇ ରହିବେ। ଯେଉଁ ପର୍ଯ୍ୟନ୍ତ ପ୍ରକୃତ ବୁଝାମଣା ଶେଷ ହୋଇ ନାହିଁ, ସେ ଯାଏ ସେମାନେ ସେଠାରେ ରହିବେ।” ନିଜ ପୋଷ୍ଟରେ ଇରାନ ଷ୍ଟ୍ରେଟ ଅଫହର୍ମୁଜ ଖୋଲା ରଖିବା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା କଥା ଟ୍ରମ୍ପ ମନେ ପକାଇ ଦେଇଛନ୍ତି। ସେହିପରି ଇରାନ ଶାନ୍ତି ବୁଝାମଣା ଅନୁସାରେ ଆଣବିକ ଯୁଦ୍ଧାସ୍ତ୍ର ବିକଶିତ କରିପାରିବ ନାହିଁ ବୋଲି ଟ୍ରମ୍ପ ଦୋହରାଇଛନ୍ତି। ସେ କହିଛନ୍ତି, “ଯଦି କୌଣସି କାରଣ ପାଇଁ ବୁଝାମଣା ଚୂଡ଼ାନ୍ତ ନ ହେବ, ଯାହାର ସମ୍ଭାବନା କମ ତା’ହେଲେ ଆକ୍ରମଣ ଅତ୍ୟନ୍ତ ବଡ଼, ଭଲ ଓ ଶକ୍ତିଶାଳୀ ଢଙ୍ଗରେ କରାଯିବ। ପୂର୍ବରୁ କେହି ଦେଖି ନଥିବା ଘଟଣା ଘଟିବ।” ଅନ୍ୟପକ୍ଷରେ ଯୁଦ୍ଧ ବିରତି ଲାଗୁ ହୋଇଥିଲେ ହେଁ ମଧ୍ୟପ୍ରାଚ୍ୟରେ ସ୍ଥିତି ଉତ୍ତେଜନା ମୂଳକ ରହିଛି। ଇସ୍ରାଏଲ ସେନା ପକ୍ଷରୁ ଲେବାନନରେ ଆକ୍ରମଣ କରାଯାଉଥିବାରୁ ଇରାନ ମଧ୍ୟ ଏହାର ପ୍ରତିଶୋଧ ନେବାକୁ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହାକୁ ନେଇ ଆମେରିକା କ୍ଷୁବ୍ଧ ହୋଇଛି। ଇରାନକୁ ତୁରନ୍ତ ହର୍ମୁଜ ପ୍ରଣାଳୀ ଖୋଲିବା ମଧ୍ୟ ୱାଶିଂଟନ ପକ୍ଷରୁ ଚେତାବନୀ ଦିଆଯାଇଛି।
