ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡ଼ା ଗ୍ରାମର ରଙ୍ଗାମାଟିଆ ସାହି ନିକଟସ୍ଥ ଜଙ୍ଗଲରେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି କାରବାର ଉପରେ ପୋଲିସ, ଅବକାରୀ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୨୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁସାରେ, ଭୋଳବେଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦୀର୍ଘଦିନ ଧରି ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବ୍ୟବସାୟ ଚାଲୁଥିଲା। ଏନେଇ ସୂଚନା ପାଇବା ପରେ ପୋଲିସ, ଅବକାରୀ ଓ ବନ ବିଭାଗର କର୍ମଚାରୀମାନେ ମିଳିତ ଭାବେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ତେବେ ଚଢ଼ାଉର ଖବର ପାଇ ମଦ ପ୍ରସ୍ତୁତି ଓ କାରବାରରେ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
