ପୁରୀ: ଭାଦ୍ରବ ମାସର ଆଗମନ ସହ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରଥମ ରବିବାର ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଓଡ଼ିଆ ଘରର ଅନନ୍ୟ ପରମ୍ପରା ଖୁଦୁରୁକୁଣୀ ବ୍ରତ। ଭାଇମାନଙ୍କ ଦୀର୍ଘାୟୁ, ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ଅବିବାହିତା ଝିଅ ଓ ମହିଳାମାନେ ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ବ୍ରତ ପାଳନ କରୁଛନ୍ତି। ଏହାକୁ ନେଇ ସାହି ଗଳିକନ୍ଦିରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ସକାଳୁ ବ୍ରତଧାରୀମାନେ ସ୍ନାନସାରି ନୂଆ ପୋଷାକ ପରିଧାନ କରି ଘର ଅଗଣା ଓ ପୂଜାସ୍ଥଳକୁ ସଫାସୁତୁରା କରି ଝୋଟି, ଚିତା ଓ ବିଭିନ୍ନ ଫୁଲରେ ସଜାଛନ୍ତି। ମା’ ମଙ୍ଗଳାଙ୍କ ପୂଜା ପାଇଁ ଫଳ, ଫୁଲ, ନୈବେଦ୍ୟ ଓ ବିଭିନ୍ନ ପୂଜା ସାମଗ୍ରୀ ସଂଗ୍ରହ କରି ଭକ୍ତିର ସହ ପୂଜାର୍ଚ୍ଚନା କରୁଛନ୍ତି।ଖୁଦୁରୁକୁଣୀ ବ୍ରତ ସହିତ ଜଡ଼ିତ ତଅପୋଇ କାହାଣୀ ଓ ଓଷାଗୀତ ଏହି ପର୍ବର ମୁଖ୍ୟ ଆକର୍ଷଣ। ଶ୍ରୀକ୍ଷେତ୍ରର ସାହି ଗଳି ସମେତ ଗ୍ରାମାଞ୍ଚଳର ଗାଁର ଝିଅ ଓ ମହିଳାମାନେ ଏକାଠି ହୋଇ ତଅପୋଇ କାହାଣୀ ଶୁଣିବା ସହ ପାରମ୍ପରିକ ଓଷାଗୀତ ଗାଇ ପୂଜା କରୁଛନ୍ତି। ଏଥିପାଇଁ ସନ୍ଧ୍ୟା ସମୟରେ ସାହି ଗଳିକନ୍ଦିରେ ଓ ପୂଜାସ୍ଥଳରେ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି।

ଏହି ବ୍ରତ କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ଭାଇ-ଭଉଣୀର ଅତୁଟ ସ୍ନେହ, ତ୍ୟାଗ ଓ ପାରିବାରିକ ବନ୍ଧନର ଏକ ଜୀବନ୍ତ ପରମ୍ପରା। ଆଧୁନିକତାର ପ୍ରଭାବ ସତ୍ତ୍ୱେ ଆଜି ମଧ୍ୟ ଗ୍ରାମାଞ୍ଚଳରେ ଏହି ପରମ୍ପରା ପ୍ରତି ଯୁବପିଢ଼ିର ଆଗ୍ରହ ଦେଖିବାକୁ ମିଳୁଛି । ଖୁଦୁରୁକୁଣୀର ପୂଜା ଓ ଓଷାଗୀତରେ ମୁଖରିତ ହେଉଛି ସହର ପରିବେଶ ଭାଇର ମଙ୍ଗଳ କାମନାରେ ଭଉଣୀର ପ୍ରାର୍ଥନା ଆଜି ବି ଓଡ଼ିଆ ପରମ୍ପରାକୁ ଜୀବନ୍ତ ରଖିଛି।ଶ୍ରୀକ୍ଷେତ୍ର ସମେତ ଜିଲ୍ଲାର ବ୍ଲକ, ପ୍ରତ୍ୟେକ ଗାଁ, ପୁରପଲ୍ଲୀରେ କୋଣ ଅନୁକୋଣରେ ଏବେ ଖୁଦୁରୁକୁଣୀ ବ୍ରତର ମାହୋଲ ଦେଖିବାକୁ ମିଳିଛି । ଭାଇମାନଙ୍କ ମଙ୍ଗଳ, ଦୀର୍ଘାୟୁ ଓ ସୁଖସମୃଦ୍ଧି କାମନା କରି କୁମାରୀ ଓ ଯୁବତୀମାନେ ଅତ୍ୟନ୍ତ ଶ୍ରଦ୍ଧା, ନିଷ୍ଠା ଓ ମହା ସମାରୋହରେ ଏହି ପାରମ୍ପରିକ ବ୍ରତ ଓଷା ପାଳନ କରୁଛନ୍ତି। ହାଡଗଡିଆ ସାହି,ମାର୍କଣ୍ଡେଶ୍ୱର ସାହି, ବାସେଳୀ ସାହି, ଦତ୍ତତୋଟା, ମଧୁବନ,ନରେନ୍ଦ୍ର କୋଣ, ବେହେରା ସାହି, ନବକଳେବର ସମେତ ସମସ୍ତ ସାହି ଗଳିକନ୍ଦିରେ ସଜାଯାଇଛି ପୂଜା ମଣ୍ଡପ, ଝୋଟି-ଚିତାରେ ଶୋଭା ପାଉଛି ଘର ଅଗଣା। ଓଷାଗୀତ ଓ ତଅପୋଇ କାହାଣୀରେ ମୁଖରିତ ହେଉଛି ପରିବେଶ। ଭାଇ-ଭଉଣୀର ପବିତ୍ର ସ୍ନେହ ଓ ଓଡ଼ିଆ ଲୋକପରମ୍ପରାର ଏହି ଅନନ୍ୟ ପର୍ବକୁ ନେଇ ସମଗ୍ର ଶ୍ରୀକ୍ଷେତ୍ର ସମେତ ଗ୍ରାମାଞ୍ଚଳରେ
ଏବେ ଉତ୍ସବମୁଖର।
