ବାରିପଦା /କରଞ୍ଜିଆ ; କରଞ୍ଜିଆ ବ୍ଲକ ପାଟବିଲ ପଞ୍ଚାୟତ ଅନ୍ତର୍ଗତ ଜାମୁନାଳିଆ ଗ୍ରାମର ସାଗେନ୍ ସାକାମ୍ ୟୁଥ୍ କ୍ଲବ ଆନୁକୂଲ୍ୟରେ ଅଗଷ୍ଟ ୨୬ ତାରିଖରୁ ଆରମ୍ଭ ହୋଇଥିବା ୧୧ତମ ବାର୍ଷିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍ଯାପିତ ହୋଇଛି। ଏହି ତିନିଦିନିଆ ପ୍ରତିଯୋଗିତାରେ ଗ୍ରାମାଞ୍ଚଳର ୩୨ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚ୍ରେ ସାହାରପଡ଼ା ବ୍ଲକର ଡୁଙ୍ଗୁରୀଟଲା ଏଫ୍ସି ଓ କରଞ୍ଜିଆ ବ୍ଲକ ଦୁଧିଆଣୀ ପଞ୍ଚାୟତର ହାତିବାରୀ ଏଫ୍ସି ମଧ୍ୟରେ ରୋମାଞ୍ଚକର ଲଢ଼େଇ ହୋଇଥିଲା। ଏଥିରେ ଡୁଙ୍ଗୁରୀଟଲା ଏଫ୍ସି ୧-୦ ଗୋଲ୍ରେ ହାତିବାରୀ ଏଫ୍ସିକୁ ପରାସ୍ତ କରି ଚଳିତ ବର୍ଷର ଚମ୍ପିୟାନ ହୋଇଥିବା ବେଳେ ହାତିବାରୀ ଏଫ୍ସି ରନର୍ସଅପ୍ ହୋଇଛି। ତେବେ ଏଫ୍ସି ତୃତୀୟ ଏବଂ ଜାମଦା ବାଘିଆ ଏଫ୍ସି ଚତୁର୍ଥ ସ୍ଥାନ ଅଧିକାର କରିଛି।
ଅନ୍ତିମ ଦିବସରେ ବର୍ଷାର ବାଧା ସତ୍ତ୍ୱେ ବହୁ ସଂଖ୍ୟାରେ ଫୁଟବଲ୍ପ୍ରେମୀ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଉଦ୍ଯାପନୀ ଉତ୍ସବରେ ଚାରି ସେମିଫାଇନାଲିଷ୍ଟ ଦଳକୁ ଟ୍ରଫି ସହ ଖାସି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପାଟବିଲ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ସୁଶାନ୍ତ ନାଏକ (ଦୀପୁ), ଏସ୍ଏସ୍ଆଇଟି ପଲିଟେକ୍ନିକ୍ର ଉପାଧ୍ୟକ୍ଷ ଇଂ. ସତ୍ୟନାରାୟଣ ମାଝୀ, ବ୍ଲକ କର୍ମଚାରୀ ପୁରେନ୍ଦ୍ର ଚନ୍ଦ୍ର ସୋରେନ୍, ଆତୁ ନାୟକେ ବୁଧୁରାୟ ମୁର୍ମୁ, ଆତୁ ମାଝୀ ଚନ୍ଦ୍ରମୋହନ ମୁର୍ମୁଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ଆଦିବାସୀବହୁଳ ଗ୍ରାମାଞ୍ଚଳରେ ଫୁଟବଲ୍ ଖେଳର ପ୍ରଚାର ଓ ପ୍ରସାର ପାଇଁ ଆୟୋଜକଙ୍କ ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ।
ପୁରସ୍କାର ବିତରଣ ସମୟରେ ଗ୍ରାମର ବହୁ ସଂଖ୍ୟକ ମହିଳା ଉପସ୍ଥିତ ରହି ଆଦିବାସୀ ପରମ୍ପରା ଅନୁଯାୟୀ ବିଜେତା ଦଳର ଖେଳାଳିମାନଙ୍କ ପାଦ ଧୋଇ ଅଭିନନ୍ଦନ ଜଣାଇଥିଲେ। ଶ୍ରୀରାମ ପାଳେୟା, ଜାକେଲ ପୂର୍ତ୍ତି ଓ ଶ୍ୟାମସୁନ୍ଦର ମାରାଣ୍ଡି ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ପରମେଶ୍ୱର ବାସ୍କେ ଭାଷ୍ୟକାର ଭାବେ ଧାରାବିବରଣୀ ପ୍ରଦାନ କରିଥିଲେ। କ୍ଲବ ସଭାପତି ରାଜେନ୍ଦ୍ର ମୁର୍ମୁ, ସମ୍ପାଦକ ରାମଦାସ ମୁର୍ମୁଙ୍କ ସମେତ ଚାନ୍ଦ୍ରାୟ ଟୁଡୁ, ଚନ୍ଦ୍ରମୋହନ ମୁର୍ମୁ, ରବିନ୍ଦ୍ର ମୁର୍ମୁ, ଦାସମାତ୍ କିସ୍କୁ, କାଳିଚରଣ କିସ୍କୁ, କରୁଣାକର କିସ୍କୁ ଓ ଦାଶରଥି ମୁର୍ମୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।
