କୋରେଇ : କୋରେଇ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପୂର୍ବକୋଟ ଅଞ୍ଚଳରେ ଚଢ଼ାଉ କରି ପୋଲିସ ୨ଟି ବନ୍ଧୁକ, ୫ଟି ଜୀବନ୍ତ ଗୁଳି ଓ ଏକ ବାଇକ ଜବତ କରିବା ସହ ଅଭିଯୁକ୍ତ ମାଇକେଲ ସନ୍ତୋଷକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗତକାଲି ଜଣେ ଯୁବକ ବନ୍ଧୁକ ଧରି ପୂର୍ବକୋଟ ଅଞ୍ଚଳରେ ବୁଲୁଥିବା ନେଇ କୋରେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଖବର ପାଇବା କ୍ଷଣି କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ପୋଲିସ ସେହି ଅଞ୍ଚଳର ଯୁବକ ମାଇକେଲ ସନ୍ତୋଷକୁ କାବୁ କରିବା ସହ ତା’ ନିକଟରୁ ଏକ ବନ୍ଧୁକ, ୩ଟି ଜୀବନ୍ତ ଗୁଳି ଓ ବାଇକ ଜବତ କରିଥିଲା।

ପରବର୍ତ୍ତୀ ସମୟରେ ଅଧିକ ତଦନ୍ତ ପାଇଁ ପୋଲିସ ମାଇକେଲର ଘରେ ଚଢ଼ାଉ କରି ଆଉ ଗୋଟିଏ ବନ୍ଧୁକ, ୨ଟି ଜୀବନ୍ତ ଗୁଳି ଏବଂ ଏକ ମୋବାଇଲ ଫୋନ ଜବତ କରିଥିଲା। ମାଇକେଲ ପୂର୍ବରୁ ବ୍ୟାସନଗର ଅଞ୍ଚଳରେ ଘଟିଥିବା ଏକ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଶନିବାର ସକାଳ ପ୍ରାୟ ୧୦:୩୦ ମିନିଟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।
