ଦଶରଥପୁର: ଦଶରଥପୁର ବ୍ଲକ ଥାଲକୁଡ଼ି ପଂଚାୟତ ଅଧିନସ୍ତ କସବା ଗ୍ରାମର ଡିହସାହୀ ଓ ବାଉତରା ସାହୀର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏକ କମେଣ୍ଟ ମରା ଘଟଣା କୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୨୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଏନେଇ ମଙ୍ଗଳପୁର ଥାନାରେ ଉଭୟ ପକ୍ଷର ଏତଲାକୁ ଆଧାର କରି ମଙ୍ଗଳପୁର ପୁଲିସ ଉଭୟ ପକ୍ଷରୁ ୮ ଜଣଙ୍କୁ ଥାନାରେ ଅଟକ ରଖିଛି । ପ୍ରକାଶ ଥାଉକି ଗୋଟିଏ ଗ୍ରାମର ୨ ଦଳିତ ସାହିର ପିଲାମାନଙ୍କ ମଧ୍ୟରେ ଗତ କିଛି ଦିନ ପୂର୍ବରୁ ପାଲା କାର୍ଯ୍ୟକ୍ରମ ସମୟରେ ସାମାନ୍ୟ ବଚସାକୁ ନେଇ ପାଟିମୁଣ୍ଡ ଘଟିଥିଲା । ଯାହା ପରଠାରୁ ଉଭୟ ସାହିର ପିଲାମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳୁଥିଲା । ଯାହାଫଳରେ ଆଜି ସକାଳେ କସବା ପୀର ଛକ ଠାରେ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ଯୁକ୍ତି ତର୍କ ହୋଇଥିଲା ଯାହା ପରେ ଏହା ଗଣ୍ଡଗୋଳ ରୂପ ନେଇଥିଲା । ଉଭୟ ପକ୍ଷ ପରସ୍ପରଙ୍କୁ ବାଡ଼ି, ଠେଙ୍ଗାରେ ଆକ୍ରମଣ କରିବା ସହିତ ଟେକା,ପଥର, କାଚ ବୋତଲ ଆଦି ଖପଡା ଖପଡି ହୋଇଥିଲେ । ଯାହାଫଳରେ ଉଭୟ ପକ୍ଷରୁ ୨୦ ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ମଙ୍ଗଳପୁର ପୁଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଉପରେ ନଜର ରଖିବା ସହିତ ପରିସ୍ଥିତି ଉତ୍ତୋଜନାପୂର୍ଣ ଥିବାରୁ କସବା ଗ୍ରାମରେ ବ୍ୟାପକ ପୁଲିସ ମୃତୟନ କରିଛି । ସେହିପରି ଉଭୟ ପକ୍ଷଙ୍କ ଏତଲାକୁ ଭିତ୍ତିକରି ଉଭୟ ପକ୍ଷରୁ ମୋଟ ୮ ଜଣଙ୍କୁ ମଙ୍ଗଳପୁର ଥାନାରେ ଅଟକ ରଖିଥିବାର ଆଇଆଇସି ରଞ୍ଜନ କୁମାର ବେହେରାଙ୍କ ଠାରୁ ପ୍ରକାଶ ।
