ପିପିଲି: ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ତଥା ପିପିଲି ଅଞ୍ଚଳର ଜଣାଶୁଣା ଶିଳ୍ପପତି ଏବଂ ସମାଜସେବୀ ରବି ସ୍ୱାଇଁଙ୍କ ଆଜି ଭୋର ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୭୫ ବର୍ଷ ହୋଇଥିଲା । ଦିର୍ଘ ଦିନ ହେବ ରବି ସ୍ୱାଇଁ ଲିଭର ସୋରିଆସିସ୍ ରୋଗରେ ପୀଡିତ ଥିଲେ ଏବଂ ଏକ ଘରୋଇ ହସ୍ପିଟାଲରେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ପରେ ସିନେ ଜଗତରେ ଅପୂରଣୀୟ କ୍ଷତି ଘଟିଛି। ରବି ସ୍ୱାଇଁଙ୍କ ଜୀବନର ପ୍ରଥମ ସିନେ ଜଗତ ରେ ସୁନାମ ଅର୍ଜନ କରିଥିବା ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ଜୋର୍ ଜାର୍ ମୁଲକ୍ ତାର୍ ‘, ବେଶ୍ ଆକର୍ଷଣୀୟ ରହିଥିଲା ପରେ ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘କି ହେବ ଶୁଆ ପୋଷିଲେ’, ଅବତାର ସିଂହଙ୍କ ନିର୍ଦ୍ଦେଶିତ ‘ପଞ୍ଜୁରୀ ଭିତରେ ଶାରୀ ‘ ଏବଂ ‘ଉଦଣ୍ଡି ସୀତା’ ସମେତ ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏହି ଚଳଚ୍ଚିତ୍ର ଗୁଡ଼ିକ ସାରା ଓଡ଼ିଶା ଦର୍ଶକଙ୍କ ଠାରୁ ଯଥେଷ୍ଟ ପ୍ରଶଂସା ପାଇଥିଲା। ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ଅବଦାନ ବ୍ୟତୀତ ରବି ସ୍ୱାଇଁ ଜଣେ ବିଶିଷ୍ଟ ଶିକ୍ଷାବିତ୍ ଏବଂ ସମାଜସେବୀ ଭାବରେ ବେଶ୍ ସୁପରିଚିତ ଥିଲେ। ସେ ପିପିଲି ରେ କ୍ଷେତ୍ରମୋହନ ମେମୋରିଆଲ୍ ଟ୍ରଷ୍ଟ, ଓମ୍ ଶାନ୍ତି କଲେଜ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି, କ୍ଷେତ୍ରମୋହନ ଆଇଟିସି ଏବଂ ଦୈତାରୀ ଆଇଟିସି ର ମୁଖ୍ୟ ପ୍ରତିଷ୍ଠାତା ଥିଲେ। ତାଙ୍କର ଆକସ୍ମିକ ବିୟୋଗ ପରେ ପିପିଲି ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ବିଶିଷ୍ଟ ନେତା ଏବଂ ଶୁଭେଚ୍ଛୁ ମାନେ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତ ଆତ୍ମାକୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟଙ୍କ ସମେତ ଅନ୍ୟ ମାନଙ୍କ ମଧ୍ୟରେ ଶୋକ ପ୍ରକାଶ କରିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ରବି ସ୍ୱାଇଁ ଙ୍କ ମରଶରୀର କୁ ପିପିଲି ବଜାର ସମସ୍ତ ବ୍ୟକ୍ତି ଙ୍କ ଶେଷଦର୍ଶନ ନିମନ୍ତେ ବଜାର ପରିକ୍ରମା କରାଯାଇଥିଲା । ଏହା ପରେ ଶବ ସତ୍କାର ନିମନ୍ତେ ପୁରୀ ସ୍ୱର୍ଗଦ୍ୱାର କୁ ନିଆଯାଇଥିଲା । ଏକ ମାତ୍ର ପୁଅ ଇଂ ଚନ୍ଦ୍ରଗୁପ୍ତ ସ୍ୱାଇଁ ମୁଖାଗ୍ନି ଦେଇଥିଲେ ।
