ପୁରୀ: ଗଙ୍ଗାଧର ମହାପାତ୍ର ସ୍ମୃତି କମିଟି ପକ୍ଷରୁ ପୂର୍ବତନ ମନ୍ତ୍ରୀ ଗଙ୍ଗାଧର ମହାପାତ୍ରଙ୍କ ରାଜ୍ୟସ୍ତରୀୟ ବିଂଶତମ ଶ୍ରାଦ୍ଧ ବାର୍ଷିକୀ ଚକ୍ରତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନରେ ରବିବାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ଯ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ, ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ବେହେରା ଯୋଗଦେଇ କହିଲେ ସ୍ୱର୍ଗତ ମହାପାତ୍ର ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,ଦକ୍ଷ ଆଇନଜୀବୀ ଓ ଆଦର୍ଶ ରାଜନୈତିଜ୍ଞ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ସଭାପତି ପ୍ରଫେସର ନୀଳକଣ୍ଠ ପତି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଆଇନଜୀବୀ ଉମାବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଚକ୍ରଧର ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରରେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ଦାଶ, ବନ ବିହାରୀ ନାୟକ, ସମାଜସେବୀ ସୁଶାନ୍ତ କୁମାର ରଥ,ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟର ଶ୍ରେଷ୍ଠ ଆଇନ ସ୍ନାତକ ପବିତ୍ର ମୋହନ ଦଳେଇଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପୁରୀ ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ଶରତ କୁମାର ରାୟଗୁରୁ, ବରିଷ୍ଠ ଆଇନଜୀବୀ ପୁଷ୍କର ମହାପାତ୍ର, ଆଦିତ୍ଯ ହୃଦୟ ମିଶ୍ର, ସୀତା ବଲ୍ଲଭ ମହାପାତ୍ର, ବୀରେନ୍ଦ୍ର ହୋତା, ଡ. ବଦ୍ରି ମିଶ୍ର, ଡ.ହେମନ୍ତ କୁମାର ଛୋଟରାୟଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତିମାନେ ଉପସ୍ଥିତ ରହି ସ୍ୱର୍ଗତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଶିବ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ବିପିନ ବିହାରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।
