ପୁରୀ: ପୁରୀ ମହାନଗର ଘୋଷଣା ହେବା ପରେ ଘରୋଇ ଏଲପିଜି ଗ୍ଯାସ ଯୋଗାଣକୁ ନେଇ ମହାସଙ୍କଟ ସୃଷ୍ଟି ହୋଇଛି । ପୁରୀ ସମୁଦ୍ରକୂଳେ ଦୁଇ ହଜାର ହୋଟେଲ ଓ ବଡଦାଣ୍ଡ ଆଖପାଖ ଅଞ୍ଚଳରେ ପ୍ରାୟ ଦୁଇ ହଜାର ହୋଟେଲରେ ବ୍ଯବସାୟିକ ୧୬ କେଜିଆ ଏଲପିଜି ସିଲିଣ୍ଡର ବ୍ଯବହାର ନକରି ଚୋରାରେ ୧୪ କେଜିଆ ଘରୋଇ ଗ୍ୟାସ ସିଲିଣ୍ଡର ୪/୫ଟି ବ୍ଯବହାର କରିବା ଯୋଗୁ ସହରରେ ଗ୍ୟାସ ସଙ୍କଟ ଦେଖାଯାଇଛି । ଗ୍ୟାସ ଏଜେନ୍ସି ମାନଙ୍କର ଗ୍ରାହକ ମାନଙ୍କୁ ବେପାରୁଆ ମନୋଭାବ ନାହିଁ ନାହିଁ ନାସ୍ତି ବାଣୀ ଶୁଣାଇବା ଯୋଗୁ ଗ୍ରାହକ ମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଶନିବାର ଜିଲ୍ଲା ଯୋଗାଣ ବିଭାଗ ବାଟମଙ୍ଗଳା ନିକଟ ଗ୍ୟାସମରାମତି ଦୋକାନରୁ ୩୫ ଟି ଘରୋଇ ଗ୍ୟାସ ,୨ଟି କମର୍ସିଆଲଗ୍ୟାସ ସିଲିଣ୍ଡର, ୪୫ଟି ୫କେଜିଆ ଗ୍ୟାସ ସିଲିଣ୍ଡର ,ଗୋଟିଏ ୪କେଜିଆ ଗ୍ୟାସ ସିଲିଣ୍ଡର, ୪ଟି ୨କେଜିଆ ଗ୍ୟାସ ସିଲିଣ୍ଡର ଏପରି ମୋଟ ୮୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଗୋଟିଏ ଦୋକାନରେ ଏତେ ସଂଖ୍ୟକ ଗ୍ୟାସ ଜବତ ହେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ଯପକ୍ଷରେ ଏଜେନ୍ସିରେ କାମ କରୁଥିବା କିଛି କର୍ମଚାରୀ ବର୍ଷକୁ ୧୨ଟି ଗ୍ୟାସ ସମ୍ପୂର୍ଣ୍ଣ ନେଉନଥିବା ଗ୍ରାହକଙ୍କ ଗ୍ୟାସ ଗୁଡ଼ିକୁ ଅତି ଚତୁରତାର ସହ ହାଇଜାକ କରି ହୋଟେଲ ଓ ଦୋକାନି ମାନଙ୍କୁ ଯୋଗାଉଥିବା ସହରରେ ଆଲୋଚନା ହେଉଛି । ଚୋରା ଗ୍ଯାସ ଗୁଡିକ ବନ୍ଦ ହେଲେ ଘରୋଇ ଗ୍ରାହକ ମାନେ ଠିକ ସମୟରେ ଗ୍ୟାସ ପାଇପାରିବେ ବୋଲି ସାଧାରଣରେ ଆଲୋଚନା ହେଉଛି ।
