ପୁରୀ: ଗୋ ସମ୍ମାନ ଆହ୍ୱାନ ଅଭିଯାନ,ଚଳିତବର୍ଷ ୨୭ ଏପ୍ରିଲ ଓ ୨୭ ଜୁଲାଇରେ ଗୋ ସମ୍ମାନ ଦିବସ ପାଳନ କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ବଡଶଙ୍ଖ ସ୍ଥିତ ବାଘ ଆଖଡା ମଠ ପରିସରରେ ଶ୍ରୀଜଗନ୍ନାଥ ଗୋ ସେବା ସଂସ୍ଥାନମ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୋ ସୁରକ୍ଷା ପାଇଁ ଗାଁ, ବ୍ଲକ, ସବଡିଭିଜନ ଓ ଜିଲ୍ଲାରେ ବ୍ଯାପକ ସଚେତନତା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଗୋ ସେବକ ରଞ୍ଜନ ଅଗ୍ରୱାଲାଙ୍କ ଆବାହକତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ମହନ୍ତ କୃଷ୍ଣଚନ୍ଦ୍ର ଗିରି ମହାରାଜ ଯୋଗଦେଇ କହିଲେ ଗୋମାତା ୩୩ କୋଟି ଦେବୀ ଦେବତାଙ୍କ ସାତ୍ତ୍ୱିକ ଶକ୍ତି ନିଜ ଶରୀରରେ ଧାରଣ କରିଛନ୍ତି। ଭାରତୀୟ ସଂସ୍କୃତି ପରମ୍ପରା, ସଂସ୍କାର ଏବଂ ଜୀବନଶୈଳୀ ଗୋମାତା ବିନା ଅତୁଳନୀୟ।

ରାଷ୍ଟ୍ରର ଗୌରବ, ରାଷ୍ଟ୍ର ରକ୍ଷା, ରାଷ୍ଟ୍ର ଶାନ୍ତି ଏବଂ ରାଷ୍ଟ୍ରର ପ୍ରକୃତ ବିକାଶ ଗୋମାତାଙ୍କ ସେବା, ସୁରକ୍ଷା ଏବଂ ସମ୍ମାନ ବିନା ସମ୍ଭବ ନୁହେଁ ବୋଲି ଶ୍ରୀ ଗିରି ମହାରାଜ ମତବ୍ୟକ୍ତ କରିଥିଲେ । ବୈଠକରେ ଗୋପ ତହସିଲ ଅଞ୍ଚଳର ସଂପଦ କୁମାର ଜେନା, ପୁରୀ ସଦର ଅଞ୍ଚଳର ଆଲୋକ ପାଢୀ, ପୁରୀ ସହର ଗାୟତ୍ରୀ ଦାଶ, ବ୍ରହ୍ମଗିରି ତହସିଲ ଅଞ୍ଚଳର ସୁଜିତ ଦେଓ, ପୁରୀ ସହରର ଚିନ୍ମୟୀ ଦେଓ, ସତ୍ଯବାଦୀ ପଜାପଡା ଅଞ୍ଚଳର କୃଷ୍ଣ ଭାଇ, ସତ୍ଯବାଦୀ ତହସିଲ ଅଞ୍ଚଳର ତିରୁପତି ଜେନା, କାକଟପୁର ତହସିଲ ଅଞ୍ଚଳର ମିହିର ରଞ୍ଜନ ଦିକ୍ଷୀତ, ଅସ୍ତରଙ୍ଗ ତହସିଲ ଅଞ୍ଚଳର ତୁଷାର ରଞ୍ଜନ ବେହେରା ଓ ପିପିଲି ତହସିଲ ଅଞ୍ଚଳର ପ୍ରଦୀପ ଭାଇ ଗୋ ସେବା ସଂସ୍ଥାନ ପ୍ରତିନିଧି ମାନେ ଏହି ବୈଠକରେ ଉପସ୍ଥିତ ରହି ୨୭ ଅପ୍ରେଲ ସକାଳ ୧୦ ଟା ସମୟରେ ଗୋ ପ୍ରେମୀମାନେ ତହସିଲଦାର, ବ୍ଲକ ଅଧିକାରୀ, ଅନୁମଣ୍ଡଳ ଅଧିକାରୀ ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି,ମାନ୍ଯବର ପ୍ରଧାନମନ୍ତ୍ରୀ,ମହାମହିମ ରାଜ୍ୟପାଳ ଏବଂ ମାନ୍ଯବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରାର୍ଥନାପତ୍ର ପ୍ରଦାନ କରିବା । ଗୋ ସମ୍ମାନ ଦିନ ଭାରତର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ସମସ୍ତ ନାଗରିକ ଗୋ ସେବା ସୁରକ୍ଷା ଏବଂ ଗୋ ସମ୍ମାନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ନିଶ୍ଚିତ ଭାବରେ ଟ୍ୱିଟ କରିବା ସହ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ରାଷ୍ଟ୍ର ଏବଂ ଭାରତୀୟ ସଂସ୍କୃତିର ହିତ ପାଇଁ ସମ୍ବିଧାନ ପରିସର ମଧ୍ଯରେ ରହି ଅହିଂସା ଉପାୟରେ ପ୍ରାର୍ଥନା କରି ଗୋ ମାତାଙ୍କ ପାଇଁ କଳସ ଓ ଦୀପ ଜାଳି ଗୋ ସମ୍ମାନ ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।
