ଜଗତସିଂହପୁର: ଜଗତସିଂହପୁର ଥାନା ଆଳିପିଙ୍ଗଳ ପଞ୍ଚାୟତ ଅନ୍ତର୍ଗତ ବେନୁଖଣ୍ଡା ଗ୍ରାମରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଟ୍ରାକ୍ଟର ଡ୍ରାଇଭର ଓ ହେଲ୍ପରଙ୍କର ମୃତ୍ୟୁ ଘଟିଛି। ଏଭଳି ମୃତ୍ୟୁକୁ ନେଇ ଉକ୍ତ ଅଞ୍ଚଳରେ ତୀବ୍ର ଉତତ୍ତଜନା ପ୍ରକାଶ ପାଇବା ସହିତ ଶହ ଶହ ଜନ ସାଧାରଣ ମୃତ ଦେହକୁ ରାସ୍ତାରେ ରଖି ଜଗତସିଂହପୁର ଥାନା ସମ୍ମୁଖରେ ଥିବା ଜାତୀୟ ରାଜପଥ ୫୫ ଓ ଜଗତସିଂହପୁର ଜୟପୁର ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରିଥିଲେ। ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ ରହିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା ଓ ପୋଲିସର ହସ୍ତକ୍ଷେପ ଫଳରେ ସନ୍ଧ୍ୟା ସମୟରେ ଗମନାଗମନ ସ୍ୱାଭାବିକ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଟ୍ରାକ୍ଟରରେ ଟ୍ରାକ୍ଟର ଚାଳକ ଅଜୟ କୁମାର ସାହୁ ଓ ସହଯୋଗୀ ସାଗର ଭୋଇ ହଳ କରି ଫେରୁଥିବା ସମୟରେ କେନାଲ ରାସ୍ତା କଡରେ ଥିବା ଏକ ଉଠା ଜଳସେଚନ ପଏଣ୍ଟର କେବୁଲରୁ ବିଦ୍ୟୁତ ସଟସର୍କିଟ ଘଟିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବିଦ୍ୟୁତ ବିଭାଗର ଦାଇତ୍ୱ ହୀନତା ଯୋଗୁଁ ଉଠା ଜଳସେଚନ ପଏଣ୍ଟକୁ କମ ଗଭୀରତାରେ କେବୁଲ ଅଣ୍ଡର ୱାରିଙ୍ଗ କେବୁଲ ସଂଯୋଗ କରାଯାଇଥିଲା। ହଳ ସାରି ଟ୍ରାକ୍ଟର ଫେରିବା ସମୟରେ ଟ୍ରାକ୍ଟର ରୋଟର ମାଟି ତଳେ କମ ଗଭୀରତାରେ ଥିବା ବିଦ୍ୟୁତ କେବୁଲକୁ ଛିଣ୍ଡାଇ ଦେଇଥିଲା। ବିଦ୍ୟୁତ ସଂଯୋଗରେ ଆସି ସମ୍ପୁର୍ଣ୍ଣ ଟ୍ରାକ୍ଟରଟି ଚାର୍ଜ ହୋଇଯାଇଥିଲା ଓ ଟ୍ରାକ୍ଟର ଡ୍ରାଇଭର ହେଲ୍ପରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ତେବେ ଉଭୟଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
