ଭୁବନେଶ୍ୱର: ଓଡ଼ିଶାରେ ଅର୍ଣ୍ଣବ ବାତ୍ୟା ଏବଂ ଏହା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି। ରାଜ୍ୟର ଦକ୍ଷିଣାଞ୍ଚଳରେ ଥିବା ଏକ ବିପର୍ଯ୍ୟସ୍ତ ଗ୍ରାମରୁ ଉଦ୍ଧାରକାରୀ ଦଳ ଦୁଇଟି ମୃତଦେହ ଉଦ୍ଧାର କରିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ସୋମବାର ଦିନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅତିକମରେ ୧୦ ଜଣ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି। ବାତ୍ୟା ସହ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମା ନିକଟରେ ଥିବା ଗିଡ଼ିପାବାଲି ନାମକ ଏକ ପାହାଡ଼ିଆ ଗ୍ରାମ କାଦୁଅ, ପଥର ଓ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛି। ଭୂସ୍ଖଳନ ଯୋଗୁଁ ଘରଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ, ଦୁର୍ଗମ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଉଦ୍ଧାରକାରୀ ଦଳ ପାଇଁ ବଞ୍ଚିଯାଇଥିବା ଲୋକଙ୍କ ନିକଟରେ ପହଞ୍ଚିବା କଷ୍ଟକର ହୋଇପଡ଼ିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରାୟ ୨୬ ଜଣ ବାସିନ୍ଦା ଥିବା ଏହି ଗ୍ରାମଟି ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ବିପର୍ଯ୍ୟୟରୁ ବର୍ତ୍ତି ଯାଇଥିବା ଅତିକମରେ ୧୩ ଜଣଙ୍କୁ ଜି. ଉଦୟଗିରି ନିକଟସ୍ଥ ଏକ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଥିବା ଲୋକଙ୍କୁ ଖୋଜି ବାହାର କରିବା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବାହିନୀ, ଅଗ୍ନିଶମ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରେ ଖୋଜାଖୋଜି କରିବା ପାଇଁ “ସିସ୍ମିକ୍ ଲାଇଫ୍-ଡିଟେକ୍ସନ୍ ଡିଭାଇସ୍’ ଏବଂ ପୁଲି ସିଷ୍ଟମ୍ ଭଳି ବିଶେଷ ଉପକରଣର ବ୍ୟବହାର କରିଛନ୍ତି। ଗ୍ରାମକୁ ଯିବା ପାଇଁ କୌଣସି ରାସ୍ତା ନଥିବାରୁ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇପଡ଼ିଛି ଏବଂ ଉଦ୍ଧାରକାରୀ ଦଳକୁ ଖୁବ୍ ଢାଲୁ ଓ ଦୁର୍ଗମ ଅକ୍ଟୋବର ୨୮ ତାରିଖରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଥିବା “ଅର୍ଣ୍ଣବ’ ବାତ୍ୟା ଜନିତ ପ୍ରବଳ ବର୍ଷା ଫଳରେ ରାଜ୍ୟରେ ଅନ୍ତତଃ ୧୦ଟି ଭୂସ୍ଖଳନ ଘଟଣା ରିପୋର୍ଟ କରାଯାଇଛି ବୋଲି ପାଟିଲ୍ କହିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସେବା ପୁନଃସ୍ଥାପନ ପାଇଁ ୬,୪୦୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ସେବା ପୁନଃସ୍ଥାପନ କାର୍ଯ୍ୟ ସମ୍ପନ୍ନ ହୋଇସାରିଛି, ଯଦିଓ ଅତ୍ୟଧିକ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକରେ ଏବେ ମଧ୍ୟ କାର୍ଯ୍ୟ ଜାରି ରହିଛି ବୋଲି ଅଧିକାରୀମାନେ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶମାର୍ଗରୁ ସମୀକ୍ଷା କରିଛନ୍ତି ଏବଂ ବନ୍ୟା ଦ୍ୱାରା ପ୍ରଭାବିତ ପରିବାରଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ଅଧୀନରେ, ଦକ୍ଷିଣ ଓଡ଼ିଶାର ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ଏବଂ ୨,୫୦୦ ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ଫସଲ, ଘର ଏବଂ ଜୀବିକା କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ପାଇଁ ମଧ୍ୟ ଆର୍ôଥକ ସହାୟତା ଯୋଗାଇ ଦିଆଯିବ। ନିଖୋଜ ଥିବା ଲୋକଙ୍କୁ ଖୋଜି ବାହାର କରିବା ଏବଂ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ପୁନଃସ୍ଥାପନ କରିବା ପାଇଁ ସରକାର ସମସ୍ତ ପ୍ରୟାସ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ ସୂଚିତ କରିଛନ୍ତି ଯେ “ମୁରାସୁ’ ବାତ୍ୟାର ପ୍ରଭାବ ଆକଳନ କରାଯିବା ପରେ ରିଲିଫ୍ କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯିବ। ଅର୍ଣ୍ଣବ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ନଭେମ୍ବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କରିବାକୁ ଆଠ ଜଣିଆ କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଦଳର କାର୍ଯ୍ୟକ୍ରମ ଥିଲା। ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ, ରାଜ୍ୟରେ ମୁରାସୁ ନାମକ ଆଉ ଏକ ବାତ୍ୟା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଥିଲା। ଯାହା ନଭେମ୍ବର ୨-୩ ତାରିଖ ରାତିରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ ଦକ୍ଷିଣ ଓଡ଼ିଶାରେ ପୁନର୍ବାର ବର୍ଷା ହୋଇପାରେ, ଯାହାର ତୀବ୍ରତା ନଭେମ୍ବର ୩ ତାରିଖରେ ବୃଦ୍ଧି ପାଇପାରେ ଏବଂ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଜାରି ରହିପାରେ। ରାଜ୍ୟ ସରକାର ଦକ୍ଷିଣ ଓଡ଼ିଶାର ବିପଦପୂର୍ଣ୍ଣ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଅଧିକାରୀମାନଙ୍କୁ ନିମ୍ନ ଅଞ୍ଚଳ ତଥା ଭୂସ୍ଖଳନ ପ୍ରବଣ ପାହାଡ଼ିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ କହିଛନ୍ତି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଅର୍ଣ୍ଣବ ବାତ୍ୟା ସମୟରେ କରାଯାଇଥିବା ବ୍ୟବସ୍ଥାଗୁଡ଼ିକୁ ବଜାୟ ରଖାଯାଇଛି ଏବଂ ଆଗାମୀ ବାତ୍ୟାକୁ ମୁକାବିଲା କରିବା ପାଇଁ ସେଗୁଡ଼ିକୁ ଆହୁରି ସୁଦୃଢ଼ କରାଯାଇଛି। ପ୍ରଶାସନ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ଏବଂ ବିପର୍ଯ୍ୟୟ ମୁକାବିଲା ଦଳଗୁଡ଼ିକୁ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି। ପୂର୍ବ ବାତ୍ୟାର ପ୍ରଭାବରୁ ଅନେକ ଅଞ୍ଚଳର ଲୋକମାନେ ଏବେ ମଧ୍ୟ ସମ୍ଭାଳି ହେବାକୁ ଚେଷ୍ଟା କରୁଥିବା ବେଳେ, ଅଧିକାରୀମାନେ କହିଛନ୍ତି ଯେ ଅଧିକ ଜୀବନହାନି ରୋକିବା ଏବଂ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ବର୍ତ୍ତମାନର ପ୍ରାଥମିକତା ଅଟେ।
