ଚିକିଟି: ଗତ ତା ୩୧/୩ରିଖ ରାତି ୯.୦୦ ଘଣ୍ଟ ସମୟରେ ଚିକିଟିପେଣ୍ଠ ମୁଖ୍ୟରାସ୍ତାରେ ଘଟିଥିବା ପେଟ୍ରୋଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ଅଭିଯୋଗକାରୀ ଉମାକାନ୍ତ ସାହୁଙ୍କ ଲିଖିତ ରିପୋର୍ଟ ଅନୁଯାୟୀ କେ.ନୁଆଗାଁ ମାମଲା ନମ୍ବର ୮୮/୨୬ ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ବର୍ତ୍ତମାନ ଖବର ପ୍ରକାରେ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କ ପୁଅ ସୀମାଞ୍ଚଳ ସାହୁଙ୍କୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ସୀମାଞ୍ଚଳ ସାହୁ ଦାବି କରାଯାଇଥିବା ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କ ଘରକୁ ପେଟ୍ରୋଲ ବୋମା ଦେଇ ଧମକାଇବା ପାଇଁ ଯୋଜନା କରିଥିଲେ। ସେମାନଙ୍କର ଯୋଜନା ଅନୁଯାୟୀ ୩୧.୦୩.୨୦୨୬ ରାତି ପ୍ରାୟ ୦୯.୦୦ ସମୟରେ ଅଭିଯୁକ୍ତମାନେ ଘଟଣାସ୍ଥଳକୁ ଆସି ଘରର ପ୍ରବେଶ ପଥରେ ଦୁଇଟି ପେଟ୍ରୋଲ ବୋମା ଫିଙ୍ଗି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଫଳସ୍ୱରୂପ ପେଟ୍ରୋଲ ବୋମା ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ପଡ଼ୋଶୀମାନେ ନିଆଁ ଲିଭାଇ ଦେଇଥିଲେ। ମାମଲା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। କେ. ନୁଆଗାଁ ଥାନା ଅଧିକାରୀ ଏକ ଦଳ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ ଏବଂ ତାଙ୍କ ତଦନ୍ତ ସମୟରେ ଜାଣିବାକୁ ପାଇଲେ ଯେ ଅଭିଯୁକ୍ତମାନେ ଭୁବନେଶ୍ୱରର ଏକ ହୋଟେଲରେ ଆଶ୍ରୟ ନେଇଛନ୍ତି । କେ. ନୁଆଗାଁ ଥାନା ଅଧିକାରୀ ଏବଂ ଦଳ ଭୁବନେଶ୍ୱର ଯାଇ ବାପୁଜୀ ନଗରରେ ଥିବା ହୋଟେଲରେ ଚଢାଉ କରି ଶୁଭମ ପାଣିଗ୍ରାହୀ (୨୦) ଖରଣିପଡା, କାହ୍ନା ଓରଫ କାନୁ ଚରଣ ସାହୁ (୨୧) ଚିକିଟିପେଣ୍ଠ, ରୋଶନ ଓରଫ ସାର୍ଥକ ପାତ୍ର (୨୧) ଅମୁଣ୍ଡି, ନୀଳମଣି ପାତ୍ର (୨୮) ଶତ୍ରୁମର୍ଦ୍ଧନପୁର ଓ ଗୌତମ ପ୍ରଧାନ (୨୭) ମେଦିନୀପୁର ପାଞ୍ଚ ଜଣକୁ ଧରି ଧାରା – ୩୩୧ (୪ ),୧୦୯(୧), ୩ (୫) ବିଏନଏସ ଆଇନ, ୯-ବି ଅସ୍ତ୍ରଶସ୍ତ୍ର ଆଇନ, ୩ ଏବଂ ୪ ବିସ୍ଫୋରକ ପଦାର୍ଥ ଆଇନ ଅନୁଯାଇ ୦୨.୦୪.୨୦୨୬ ଅପରାହ୍ନରେ ସ୍ଥାନୀୟ ପୋଲିସ ସହାୟତାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି ତାଙ୍କ ନିକଟରୁ ବିସ୍ଫୋରଣ ହୋଇଥିବା ପାଟ୍ରୋଲ୍ ବୋମାର ଅବଶିଷ୍ଟାଂଶ, ଗୋଟିଏ କଳା ରଙ୍ଗର ହିରୋ ହୋଣ୍ଡା ସ୍ପେ୍ଲଣ୍ଡର ମୋଟର ସାଇକେଲ ଓ ଗୋଟିଏ ଧଳା ରଙ୍ଗର ଡିଜାଇର କାର ନମ୍ବର ଓଡ଼ି୦୭ ଏଟି ୦୮୫୪ ଜବତ କରି ଆଜି ଅଭିଯୁକ୍ତମାନଙ୍କୁ ପାତ୍ରପୁରର ମାନ୍ୟବର ଜେଏମଏଫସି କୋର୍ଟକୁ ପଠାଇ ଅଧିକ ତଦନ୍ତ ଚଲାଉଥିବା ପୋଲିସ ପକ୍ଷରୁ ଜଣାଇଦିଆଯାଇଛି ।
