ପୁରୀ: ଶ୍ରାବଣ ମାସ ଶେଷ ସୋମବାର । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ସମେତ ଅନେକ ଶୈବପୀଠରେ ବୋଲବମ ଭକ୍ତଙ୍କ ସମାଗମ । ଭୁବନେଶ୍ୱର ପାର୍ଶ୍ୱ ରୁ ଆସୁଥିବା ଜାତୀୟ ରାଜପଥ ରାସ୍ତାରେ ବୋଲବମ ଭକ୍ତ ମାନେ ବାଟମଙ୍ଗଳା, ଅଠରନଳା ଦେଇ ଶ୍ରୀଲୋକନାଥଙ୍କ ପୀଠକୁ ଜଳଲାଗି ପାଇଁ ପ୍ରବେଶ କରିଛନ୍ତି । ହରେ ହରେ ବମ ବୋଲବମ, ଓଁ ନମଃ ଶିବାୟ ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଉଛି ମା ମଙ୍ଗଳାଙ୍କ ପୀଠ,ବଡ଼ଦାଣ୍ଡ ସମେତ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଓ ଶିବ ମନ୍ଦିର । ଏହି ପରିପ୍ରେକ୍ଷୀରେ ମା ବାଟମଙ୍ଗଳାଙ୍କ ସମ୍ମୁଖରେ ରବିବାର ବୋଲବମ ଭକ୍ତଙ୍କୁ ଅନ୍ନ ପ୍ରସାଦ ସେବା ଯୋଗାଇବା ସହ ସଂଧ୍ଯାରେ ଭଜନ ପରିବେଷଣ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଇଛି । ବୋଲବମ ଭକ୍ତ ମାନଙ୍କ ସେବା ପାଇଁ ସବୁ ବର୍ଷ ପରି ଚଳିତବର୍ଷ ମଧ୍ଯ ପୁରୀ ର ପ୍ରୟାସ ଟେଲିଭିଜନ,ୱାଣ୍ଡର ୱାର୍ଲଡ ୱାଟରପାର୍କ, ମୀନା ଫୁଡ୍ସ, ପୁରୀଜିଲ୍ଲା ଚେସ ଆସୋସିଏସନ, ବଲ ବ୍ୟାଡମିଣ୍ଟନ ଆସୋସିଏସନ ମିଳିତ ସହଯୋଗରେ କାଉଡିଆ ଭକ୍ତ ମାନଙ୍କୁ ନିଶୁଳ୍କ ପ୍ରସାଦ ବଣ୍ଟନ କରାଯାଇଛି ।

ପ୍ରୟାସ ଟେଲିଭିଜନର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଜେନେରାଲ ମ୍ୟାନେଜର ଗିରିଜା ଶଙ୍କର ରଥ ପ୍ରମୁଖ ଉପସ୍ଥିତ ରହି ତିନି ହଜାରୁ ଉର୍ଦ୍ଧ୍ୱ କାଉଡିଆ ଭକ୍ତ ମାନଙ୍କୁ ପୂର୍ବାହ୍ନରେ ଅନ୍ନ, ଡାଲମା, ପୋଟଳ ତରକାରି, ଟମାଟୋ ଖଟା ଓ ଖିରି ବଣ୍ଟନ କରିଥିଲେ । ନିଷ୍ଠା, ଶ୍ରଦ୍ଧା ଓ ଭାବ ଭକ୍ତିର ସହ କାଉଡିଆ ଭକ୍ତ ମାନେ ଚଲାପଥରେ ଚାଲି ଚାଲି ଆସି ପ୍ରସାଦ ସେବନ କରି ଆନନ୍ଦିତ ହୋଇଥିଲେ । ଭକ୍ତ ମାନେ ପେଟପୁରା ପ୍ରସାଦ ପାଇ ଅନୁଷ୍ଠାନର ସଦସ୍ଯ ମାନଙ୍କୁ ଆଶୀର୍ବାଦ କରିବା ସହ ସାଧୁବାଦ ଜଣାଇଥିଲେ । ଆୟୋଜିତ ଅନୁଷ୍ଠାନ ମାନେ ଦୀର୍ଘ ୨୦ ବର୍ଷ ଧରି ମିଳିତ ସହଯୋଗରେ ଭକ୍ତ ମାନଙ୍କୁ ଏହି ସେବା ଯୋଗାଇ ନିଜକୁ ସମର୍ପିତ ଭାବ ରଖି ମହାଦେବଙ୍କ ନିକଟରେ ଶରଣାପନ୍ନ ହୋଇଛନ୍ତି । କାଉଡିଆ ଭକ୍ତ ମାନେ ପ୍ରୟାସ ଟେଲିଭିଜନର ନିର୍ଦ୍ଦେଶକ ତଥା ସମାଜସେବୀ ପ୍ରଦ୍ୟୁମ୍ନ ମିଶ୍ରଙ୍କ ସମେତ ମିଳିତ ଅନୁଷ୍ଠାନର ସଦସ୍ଯ ସଦସ୍ଯା ମାନଙ୍କୁ ଭୂୟଂଶୀ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ ।
