ସିମଲା: ହିମାଚଳ ପ୍ରଦେଶର ରାଜଧାନୀ ସିମଲା ଅନ୍ତର୍ଗତ ଦାରୋଟି ଅଞ୍ଚଳର ପାନୁ ନାଲା ନିକଟରେ ଶନିବାର ଦିନ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ମା’ ଓ ପୁଅଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ଟିକ୍କର ପୋଲିସ ଆଉଟପୋଷ୍ଟ ଅଧୀନ ଅଞ୍ଚଳରେ ଘଟିଛି। ଶନିବାର ସକାଳେ ମା’ ଓ ପୁଅ କିଛି ନେପାଳୀ ଶ୍ରମିକଙ୍କୁ ଘାସ କାଟିବା କାମରେ ସାହାଯ୍ୟ କରିବା ପାଇଁ ସେମାନଙ୍କ ଗାଁକୁ ନେଉଥିଲେ। ଏହି ସମୟରେ କା?ର୍ଟି ଭାରସାମ୍ୟ ହରାଇ ଏକ ଖାଇ ମଧ୍ୟକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଚୂରମାର୍ ହୋଇଯାଇଛି। ଦୁର୍ଘଟଣା ସମୟରେ ହୋଇଥିବା ଜୋରଦାର ଶବ୍ଦ ଏବଂ ପୀଡ଼ିତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଭଙ୍ଗା ଗାଡ଼ି ଭିତରୁ ଆହତମାନଙ୍କୁ ବାହାର କରିଥିଲେ। ପୋଲିସ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା। ଏସ୍?ପି ଗୌରବ ସିଂହ କହିଛନ୍ତି ଯେ, ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। “ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି। ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ହିଁ ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାହା ସ୍ପଷ୍ଟ ହୋଇପାରିବ। ମୃତକମାନେ ହେଲେ ଦାରୋଟି ନିବାସୀ ପ୍ରମୋଦଙ୍କ ପୁଅ କୁଶଲ, ତାଙ୍କ ମା’ କଳ୍ପନା ଦେବୀ, ନେପାଳୀ ନାଗରିକ ପବନଙ୍କ ପତ୍ନୀ ନିର୍ମଳା, ନେପାଳୀ ନାଗରିକ ପ୍ରେମଙ୍କ ପତ୍ନୀ ମୀନା ଏବଂ ପ୍ରେମଙ୍କ ଝିଅ ରୋଶନୀ। ଟିକ୍କର ତହସିଲଦାର ପ୍ରିୟାଞ୍ଜଳି ଏବଂ ନାଏବ ତହସିଲଦାର ମେହର ସିଂହ ଫିଷ୍ଟା ଜଣାଇଛନ୍ତି ଯେ, ମୃତକଙ୍କ ପ୍ରତ୍ୟେକ ପରିବାରକୁ ତୁରନ୍ତ ସହାୟତା ରାଶି ସ୍ୱରୂପ ୧୫,୦୦୦ ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏହି ସଡ଼କ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରଭାବିତ ପରିବାରବର୍ଗଙ୍କୁ ସମ୍ଭବପର ସମସ୍ତ ସହାୟତା ଯୋଗାଇ ଦିଆଯାଉ ଏବଂ ଆହତ ବ୍ୟକ୍ତିଙ୍କୁ ଯଥାସମ୍ଭବ ଉତ୍ତମ ଚିକିତ୍ସା ମିଳିବା ନିଶ୍ଚିତ କରାଯାଉ।
