ପୁରୀ: ଶ୍ରାବଣ ମାସ ଶୁକ୍ଳପକ୍ଷ ପୁତ୍ରଦା ଏକାଦଶୀ ରବିବାର ଠାରୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ସାତଦିନ ଧରି ଏହି ଝୁଲଣ ଉତ୍ସବ ଅନୁଷ୍ଠିତ ହେବ । ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ମନ୍ଦିରରେ ଝୁଲଣ ଯାତ ଆରମ୍ଭ ହୋଇଛି । ଝୁଲଣ ଯାତ ହେଉଛି ଶରତ ରାସର ନିଦର୍ଶନ ।କୁଞ୍ଜ ଦୋଳିରେ ବସି ରାଧାକୃଷ୍ଣ ଝୁଲୁଛନ୍ତି । ଚାରିପଟେ ଗୋପୀ ଓ ସଖୀ ମାନେ ଜଗିଛନ୍ତି । କେତେକ ମଠରେ ମଧ୍ଯ ଏହା ୫ ଦିନ ଧରି ଝୁଲଣ ଯାତ ଅନୁଷ୍ଠିତ ହେଉଛି । ଭଜନ କୀର୍ତ୍ତନରେ ଗୁଞ୍ଜରିତ ହେଉଛି ମଠ ଓ ମନ୍ଦିର । ଝୁଲଣ ଯାତ ଦେଖିବା ପାଇଁ ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ ହୋଇପଡିଛି । ବିଭିନ୍ନ ଦେବାଳୟରେ ଝୁଲଣକୁଞ୍ଜରେ ରାଧାକୃଷ୍ଣ ଝୁଲୁଛନ୍ତି। କୁଞ୍ଜ ପରିସରକୁ ଜରି ଜମ୍ବୁରାରେ ଆକର୍ଷଣୀୟ ଭାବେ ସଜେଇ ହୋଇ ଝଲମଲ ହେଉଛି । ରଙ୍ଗୀନ ଆଲୋକରେ ଆଲୋକିତ ହେଉଛି ଝୁଲଣ କୁଞ୍ଜ । ସଖୀ, କଣ୍ଢେଇ, ମାଙ୍କଡ, ଶୁଆ, ଶାରୀ, ବିଭିନ୍ନ ଗଛଲତା ଓ ଲଟି ଡାଳରେ ଝଲସୁଛି ଝୁଲଣ କୁଞ୍ଜ । ଶ୍ରୀକ୍ଷେତ୍ରରେ ରହିଛି ଅନେକ ପୁରାତନ ମଠ । ପ୍ରାୟ ଅଧିକାଂଶ ମଠରେ ପୂଜା ପାଉଛନ୍ତି ରାଧାକୃଷ୍ଣ।

ସଙ୍ଗୀତ, ବାଦ୍ୟଯନ୍ତ୍ର ରେ ମୁଖରିତ ହେଉଛି ଝୁଲଣମଣ୍ଡପ । ସୁସଜ୍ଜିତ ଝୁଲଣ ମଣ୍ଡପ, ଭଜନନୃତ୍ଯ , ପ୍ରବଚନ ଓ ରାଧା ଦାମୋଦରଙ୍କୁ ଦର୍ଶନ କରିବାପାଇଁ ଦୂରଦୂରାନ୍ତରୁ ଆସିଛନ୍ତି ଶ୍ରଦ୍ଧାଳୁମାନେ । ବିଶେଷକରି ଶ୍ରୀକ୍ଷେତ୍ରରେ ଜଗନ୍ନାଥ ବଲ୍ଲଭ ମଠ, ନେବଳ ଦାସମଠ, ବଡ଼ଓଡ଼ିଆ ମଠ, ରାଧାବଲ୍ଲଭ ମଠ,ଜିୟର ସ୍ୱାମୀ, ଗୌର ବିହାର (ମାତାମଠ)ପ୍ରଭୃତି ଅନେକ ମଠରେ ଅନୁଷ୍ଠିତ ହେଉଛି ଯାତ୍ରା। ଏହି ଉପଲକ୍ଷେ ବିଭିନ୍ନମଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନେବଳ ଦାସମଠରେ ରବିବାର ଠାରୁ ପାଞ୍ଚଦିନ ଧରି ଝୁଲଣ ଅନୁଷ୍ଠିତ ହେଉଛି । ବିଭିନ୍ନ ଦିବସରେ ରାଧାକୃଷ୍ଣ, ଲକ୍ଷ୍ମୀନାରାୟଣ, ଲକ୍ଷ୍ମୀନୃସିଂହଏବଂ ରାମ, ଲକ୍ଷ୍ମଣ ଓ ସୀତା କୁଞ୍ଜରେ ଦୋଳି ଖେଳୁଛନ୍ତି । ପ୍ରତ୍ୟେକ ଦିନ ନିତ୍ଯ ଆଳତି ପରେ ପ୍ରଭୁଙ୍କ ପାଇଁ ଝୁଲଣ ଆଳତି ଏବଂ ସ୍ୱତନ୍ତ୍ର ଭୋଗ ଲାଗି କରାଯାଉଛି । ପ୍ରତ୍ୟହ ସନ୍ଧ୍ୟାରେ ପାରମ୍ପରିକ ଭଜନ, ସଙ୍ଗୀତ, ଛାନ୍ଦ, ଚମ୍ପୁ ପରିବେଷଣ କରାଯିବ ବୋଲି ମଠ ମହନ୍ତ ଡ. ରାମଚରଣ ଦାସ ମହାରାଜ କହିଛନ୍ତି ।ବହୁ ସଂଖ୍ୟାରେ ଦର୍ଶନାର୍ଥୀ ଝୁଲଣ ଯାତ୍ରା ଦେଖିବା ଲାଗି ସନ୍ଥ ଅଭିରାମ ଦାସମହାରାଜ ଜଣାଇଛନ୍ତି। ଏତଦ୍?ବ୍ୟତୀତ ଗୌର ବିହାର ଆଶ୍ରମ (ମାତା ମଠ)ସମେତ ଅନ୍ୟାନ୍ୟ ମଠ ଏବଂ ଶ୍ରୀମନ୍ଦିରରେ ଝୁଲଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି । ଶ୍ରଦ୍ଧାଳୁଙ୍କ ସମେତ ସାହି ଗଳିକନ୍ଦିର ଲୋକ ମାନେ ଝୁଲଣ କୁଞ୍ଜ ଦେଖିବା ପାଇଁ ଭିଡ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି ।
