ଖପ୍ରାଖୋଲ: ନିଶା ସେବନର ଭୟାବହ ପରିଣତି ପୁଣି ଥରେ ଏକ ପରିବାରର ହସଖୁସିକୁ ଛାରଖାର କରିଦେଇଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ପରେ ଜଣେ ୩୬ ବର୍ଷୀୟ ବ୍ୟକ୍ତି ଫାଶୀ ଲଗାଇ ଜୀବନ ହାରାଇଥିବା ଭଳି ଦୁଃଖଦ ଘଟଣା ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚାୟତର ବନ୍ଦେପଦର ଗ୍ରାମରେ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବନ୍ଦେପଦର ଗ୍ରାମର ସୁଶୀଲ ଭଇଁସାଲ(୩୬) ଶୁକ୍ରବାର ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଏହାପରେ ସ୍ତ୍ରୀ ଓ ତିନି ଛୁଆଙ୍କ ସହ ତାଙ୍କର କଳହ ହୋଇଥିବା ଜଣାପଡ଼ିଛି। ପରିସ୍ଥିତି ଅଣାୟତ୍ତ ହେବାରୁ ସ୍ତ୍ରୀ ଓ ତିନି ଛୁଆ ଘରୁ ବାହାରି ପଡ଼ୋଶୀଙ୍କ ଘରକୁ ଚାଲିଯାଇଥିଲେ।ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ସୁଶୀଲଙ୍କ ସ୍ତ୍ରୀ ପଡ଼ୋଶୀଙ୍କ ନିକଟରେ ଗୁହାରି କରି ସ୍ୱାମୀଙ୍କୁ ବୁଝାଇବା ସହ ଘରର କବାଟ ଖୋଲିବାକୁ କହିଥିଲେ।ଏହାପରେ ପଡ଼ୋଶୀମାନେ ସିଡ଼ି ଲଗାଇ ପାଚେରୀ ଭିତରକୁ ଜଣେ ବ୍ୟକ୍ତିଙ୍କୁ ପଠାଇଥିଲେ। ଭିତରକୁ ଯାଇ ସେ ସୁଶୀଲଙ୍କୁ ଏକ ଶାଢ଼ୀରେ ଫାଶୀ ଲଗାଇ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ଘଟଣା ସମ୍ପର୍କରେ ଖପ୍ରାଖୋଲ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ପରେ ଶବକୁ ଖପ୍ରାଖୋଲ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିଲା। ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ଅନୁଯାୟୀ, ଶୁକ୍ରବାର ରାତିରେ ହିଁ ସୁଶୀଲ ଫାଶୀ ଲଗାଇଥିବା ସନ୍ଦେହ କରାଯାଉଥିବା ବେଳେ ଶନିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଘଟଣା ସମ୍ପର୍କରେ ସମସ୍ତେ ଜାଣିବାକୁ ପାଇଥିଲେ। ଏନେଇ ଖପ୍ରାଖୋଲ ଥାନାରେ ୟୁଡି କେସ୍ ନଂ-୮/୨୦୨୬ ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଏଏସ୍ଆଇ ରବୀନ୍ଦ୍ର କୁମ୍ଭାର କରୁଥିବା ସୂଚନା ମିଳିଛି। ନିଶା କେବଳ ଜଣେ ବ୍ୟକ୍ତିଙ୍କୁ ନଷ୍ଟ କରେନାହିଁ, ଏହାର କୁପରିଣାମ ସାରା ପରିବାରକୁ ଭୋଗିବାକୁ ପଡ଼େ। ନିଶାସକ୍ତ ଅବସ୍ଥାରେ ଘରେ କଳହ, ମାଡ଼ପିଟ ଓ ଅଶାନ୍ତି ସୃଷ୍ଟି ହେବା ଏବେ ଅନେକ ପରିବାରର ଦୁଃଖଦ ବାସ୍ତବତା। ନିଶା ମଣିଷର ବିବେକ, ଧୈର୍ଯ୍ୟ ଓ ନିଷ୍ପତ୍ତି ନେବାର କ୍ଷମତାକୁ କ୍ଷୀଣ କରିଦିଏ। ଏହାର ଶିକାର ହୁଅନ୍ତି ନିରୀହ ପରିବାର ସଦସ୍ୟମାନେ।ବନ୍ଦେପଦରର ଏହି ଘଟଣା ନିଶା ବିରୋଧରେ ସମାଜ ପାଇଁ ଏକ ତୀବ୍ର ସତର୍କବାଣୀ। ଜଣେ ବ୍ୟକ୍ତିଙ୍କ ନିଶା ଅଭ୍ୟାସ ଯଦି ଏକ ପରିବାରର ଶାନ୍ତି ଛଡ଼ାଇ ନେଉଛି, ତେବେ ନିଶା ନିୟନ୍ତ୍ରଣ ଓ ନିଶାମୁକ୍ତି ଅଭିଯାନ କେବଳ ସରକାରୀ କାର୍ଯ୍ୟକ୍ରମରେ ସୀମିତ ନ ରହି, ଗାଁରୁ ଗାଁକୁ ଏହାର ପ୍ରଭାବୀ ପ୍ରତିରୋଧ ଆବଶ୍ୟକ।
