କଟକ: ଫୋନରେ ଗପିବା କାଳ ହେଲା । କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ତିନିମହଲା ଛାତରୁ ପଡ଼ି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣଙ୍କ ନାମ ହେଲା ବର୍ଷା ତ୍ରିପାଠୀ । ଗତକାଲି ରାତି ୧୧.୩୦ ସମୟରେ ସେ ରାତିରେ ଫୋନରେ ଗପୁଥିଲେ । ତାପରେ ଛାତରୁ ପଡ଼ି ଗୁରୁତର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଏସସିବିରେ ଭର୍ତ୍ତି କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ କେଉଁ ପରିସ୍ଥିତିରେ ଯୁବତୀ ଜଣକ ମୃତ୍ୟୁ ହେଲା, ଛାତରୁ ଖସି ପଡ଼ିବ ଯୋଗୁଁ ନା କେହି ତାଙ୍କୁ ଠେଲି ଦେବାରୁ ନା ଅନ୍ୟ କିଛି କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ତାହା ସନ୍ଦେହ ଘେରରେ ରହିଛି । ପରିବାର ଲୋକେ ତାଙ୍କ ଝିଅକୁ ଛାତରୁ ଠେଲି ଦିଆଯାଇଥିବା ଅଭିଯୋଗ କରିଛନ୍ତି।ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀଙ୍କ ଘର ଜଗତସିଂହପୁର ଅଞ୍ଚଳରେ ହୋଇଥିବା ବେଳେ କଟକରେ ବାଦାମ ବାଡ଼ିରେ ଭଡ଼ାରେ ରହୁଥିଲେ। ଯୁବତୀ ଜଣଙ୍କ ଭଡ଼ାରେ ରହୁଥିବା ବେଳେ ବିଭିନ୍ନ ପରୀକ୍ଷା ଲାଗି ପ୍ରସ୍ତୁତି ହେଉଥିଲେ । ପୁଲିସ୍ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।
