ବାରିପଦା /କରଞ୍ଜିଆ ; କରଞ୍ଜିଆ ବସ୍ଷ୍ଟାଣ୍ଡରୁ ମୋବାଇଲ ଓ ଟଙ୍କା ଚୋରି ଘଟଣାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ଘରୁ ୬ଟି ମୋବାଇଲ ଫୋନ୍, ବ୍ୟାଟେରୀ ଓ ସିମ୍କାର୍ଡ ଜବତ କରିଛି। ଗିରଫ ମହିଳା ଜଣକ ହେଲେ ମିନୁ ସାହା।ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ଜଣେ ବ୍ୟକ୍ତି କଲିକତା ଯିବା ପାଇଁ କରଞ୍ଜିଆ ବସ୍ଷ୍ଟାଣ୍ଡରେ ଅପେକ୍ଷା କରିଥିବା ବେଳେ ତାଙ୍କ ମୋବାଇଲ ଫୋନ୍ ଓ ଟଙ୍କା ଚୋରି ହୋଇଥିଲା। ପରେ ସେ କଲିକତା ଚାଲିଯାଇଥିଲେ। ଚୋରି ହୋଇଥିବା ମୋବାଇଲ ସମ୍ପର୍କରେ ସୂଚନା ମିଳିବା ପରେ ସେ ପୋଲିସକୁ ଜଣାଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଫେସବୁକ୍ରେ ଜଣେ ମହିଳାଙ୍କ ଫଟୋ ଦେଖି ତାଙ୍କୁ ଚିହ୍ନଟ କରିଥିଲେ। ମହିଳା ଜଣକ କରଞ୍ଜିଆ ବସ୍ଷ୍ଟାଣ୍ଡ ଅଞ୍ଚଳରେ ହାଣ୍ଡିଆ ବିକ୍ରି କରୁଥିବା ର ଜଣାପଡ଼ିଥିଲା। କରଞ୍ଜିଆ ପୋଲିସ ତାଙ୍କୁ ଚିହ୍ନଟ କରି ଘରେ ଚଢ଼ାଉ କରିବା ସମୟରେ ଚୋରି ହୋଇଥିବା ମୋବାଇଲ ସହ ଅନ୍ୟ ୫ଟି ମୋବାଇଲ, ବ୍ୟାଟେରୀ ଓ ସିମ୍କାର୍ଡ ଜବତ କରିଥିଲା। ଏନେଇ କରଞ୍ଜିଆ ଥାନାରେ କେସ୍ ନଂ-୩୧୪/୨୬ ମୂଳେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମିନୁ ସାହାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
