ବାରିପଦା; ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତାବିତ ତିନୋଟି ନୂଆ ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରି ରେଳ ପ୍ରଶାସନକୁ ହସ୍ତାନ୍ତର କରିବାକୁ ବହଳଦାର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ବାଦାମପାହାଡ଼-କେନ୍ଦୁଝରଗଡ଼, ଗୋରୁମହିଷାଣି- ବାଙ୍ଗିରିପୋଷି ଏବଂ ବୁଡ଼ାମରା- ଚାକୁଳିଆ ଏହି ତିନୋଟି ରେଳପଥ ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୮୨କିମି ଲମ୍ବ ବାଦାମପାହାଡ଼-କେନ୍ଦୁଝରଗଡ଼ ନୂଆ ରେଳପଥ ପାଇଁ ୨.୧୦୬କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଗୋରୁମହିଷାଣି- ବାଙ୍ଗିରିପୋଷି ୮୬କିମି ନୂଆ ରେଳପଥ ପାଇଁ ୨.୫୪୯ କୋଟି ଟଙ୍କା ଓ ବୁଡ଼ାମରା- ଚାକୁଳିଆ ୬୦କିମି ନୂତନ ରେଳପଥ ପାଇଁ ୧.୬୩୯କୋଟି ଟଙ୍କା ମଞ୍ଜୁର ହୋଇଛି । ତେବେ ବୁଡ଼ାମରା-ଚାକୁଳିଆ ପ୍ରକଳ୍ପର ଭୂମି ଅଧିଗ୍ରହଣ ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଛି ଓ ଅଧିଗୃହୀତ ଭୂମି ରେଳ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆଗକୁ ବଢ଼ିଥିବା ବେଳେ, ବଡ଼ମପାହାଡ- କେନ୍ଦୁଝରଗଡ଼ ଓ ଗୋରୁମହିଷାଣି- ବାଙ୍ଗିରିପୋଷି ପ୍ରକଳ୍ପର ଭୂମି ଅଧିଗ୍ରହଣ ପ୍ରକ୍ରିୟା ଧୀରଗତିରେ ଚାଲିଛି । ଏହି ଦୁଇଟି ପ୍ରକଳ୍ପକୁ ଅଗ୍ରାଧିକାର ଦେଇ ତ୍ୱରାନ୍ୱିତ କରିବା, ଅଧିଗୃହୀତ ଭୂମିକୁ ରେଳ ପ୍ରଶାସନକୁ ସମୟସୀମା ଭିତରେ ହସ୍ତାନ୍ତର କରିବା, ବିଭାଗୀୟ ସମନ୍ୱୟ ବଢ଼ାଇବା ଓ ନିୟମିତ ପର୍ଯ୍ୟବେକ୍ଷଣ କରିବା ପାଇଁ ସେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ପୂର୍ବତନ ବିଧାୟକ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକର ଶୀଘ୍ର ସମାପ୍ତି ମୟୂରଭଞ୍ଜ ଓ କେନ୍ଦୁଝରର ଆଦିବାସୀ ଓ ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ରୋଜଗାର, ବାଣିଜ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶମୂଳକ ସୁଯୋଗ ସୃଷ୍ଟି କରିବ ।
