କଟକ: କଟକ ହାଇକୋର୍ଟ ନିକଟରେ ନିଆଁ ଲାଗିବା ଘଟଣାରେ ଜଣେ ମହିଳା ଅଟକ । ଯୁବତୀ ଜଣଙ୍କ ହେଲେ ମିନତି ସାହୁ । ସେ ଗାଡ଼ିରେ ନିଆଁ ଲଗାଉଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଲାଲବାଗ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତରୁ ମହିଳା ଜଣ ମାନସିକ ରୋଗୀ ବୋଲି ଜଣାପଡ଼ିଛି । ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରୁ ୧୨ ଭିତରେ ଏହି ଅଗ୍ନିକାଣ୍ଡ ଘଟଣା ଘଟିଛି । ଚାନ୍ଦିନ ଚୌକ ହାଇକୋର୍ଟ ପାଚେରୀ ନିକଟରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଗୋଟିଏ ପରେ ଗୋଟିଏ ପ୍ରାୟ ଚାରୋଟି ଗାଡ଼ିରେ ନିଆଁ ଲାଗିଥିଲା । ପ୍ରଥମେ ଦୁଇଟି ସ୍କୁଟର ପରେ ଏକ ସ୍କର୍ପିଓ ଏବଂ ଗୋଟିଏ ଇଭି ଗାଡ଼ି ଜଳି ପାଉଁଶ ହୋଇଛି । ଏହି ଘଟଣାରେ ଜଣେ ମହିଳା ସାମ୍ନାକୁ ଆସିଛନ୍ତି । ମହିଳା ଜଣକ ହେଲେ ଜଗତସିଂହପୁର ଅଞ୍ଚଳର ମିନତି ସାହୁ ବୋଲି ଜଣାପଡ଼ିଛି । ସେ ବାଇକରେ ନିଆଁ ଲଗାଉଥିବାର ଭିଡିଓ କ୍ୟାମେରାରେ କଏଦ ହୋଇଛି । ଏନେଇ ସମ୍ପୃକ୍ତ ମହିଳା ପୁଲିସ ଆଗରେ ମଧ୍ୟ ସ୍ୱୀକାର କରିଛନ୍ତି । ସେ ଏକ ବୋତଲରେ ପେଟ୍ରୋଲ ରଖି ନିଆଁ ଲଗାଇଥିଲେ । ସେହି ବୋତଲକୁ ହାଇକୋର୍ଟ ପରିସରକୁ ଫିଙ୍ଗି ଥିଲେ । ମାତ୍ର ନିଆଁ ଜଳୁଥିବା ବୋତଲ କୋର୍ଟ ପାଚେରୀ ବାଜି ନିକଟରେ ପାର୍କିଂ ଥିଲା ବାଇକ୍ ଏବଂ ସ୍କୁଟରରେ ପଡ଼ିଥିଲା । ଧୀରେ ଧୀରେ ନିଆଁ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଲାଗିଥିଲା । ଗୋଟିଏ ସ୍କର୍ପିଓ, ଦୁଇଟି ସ୍କୁଟର ଏବଂ ଗୋଟିଏ ବ୍ୟାଟେରୀ ଚାଳିତ ଗାଡ଼ି ଜଳିପୋଡ଼ି ପାଉଁଶ ହୋଇଛି । ତେବେ ପ୍ରାଥମିକ ତଦନ୍ତରୁ ମହିଳା ଜଣକ ମାନସିକ ରୋଗୀ ବୋଲି ଜଣାପଡ଼ିଛି । ସେ କାହିଁକି ନିଆଁ ଲଗାଇଲେ ତା’ର କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି ଘଟଣାରେ ଲାଲବାଗ ଥାନା ପୁଲିସ ଅଧିକ ତଦନ୍ତ କରୁଛି ।
