କଟକ: ଓଏମପି-ନୂଆବଜାର ତାଳଦଣ୍ଡା କେନାଲ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମୃତକ ଶୁଭଲକ୍ଷ୍ମୀ ସ୍ୱାଇଁ(୧୩) ଏବଂ ବିଶ୍ୱଜିତ ପଣ୍ଡା(୨୨) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ସମସ୍ତେ ବୈଶାଖୀ ବାଣିଜ୍ୟ ମେଳା ବୁଲିବାକୁ ଯାଇ ଫେରିବାବେଳେ ସ୍କୁଟିକୁ ଏକ ମାଲବାହୀ ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
