ବାରିପଦା /ସାହାରପଡ଼ା ; ଲଗାଣ ବର୍ଷାରେ ଦୁର୍ବଳ ମାଟି ଘରର ଅବସ୍ଥା ଦୟନୀୟ ହୋଇପଡ଼ିଛି। ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ସବରଣୀବେଡା ଗ୍ରାମର ୮୦ ବର୍ଷୀୟ ଶଙ୍କର୍ଷଣ ମହାନ୍ତଙ୍କ ଘରର ଛାତ ଓ କାନ୍ଥ ଭାଙ୍ଗି ପଡ଼ିଛି। ଫଳରେ ବୃଦ୍ଧଙ୍କ ପରିବାର ଏବେ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି। ଘରଟିର କାନ୍ଥରେ ବର୍ଷା ପାଣି ପଶିବା ସହ ମାଟି ଧସିଯାଇଥିବାରୁ ଛାତ ଭୁଶୁଡ଼ି ପଡ଼ିଛି। ଘରର ଅଧିକାଂଶ ଅଂଶ କ୍ଷତିଗ୍ରସ୍ତ ହୋଇଥିବାରୁ ଏଠାରେ ରହିବା ବିପଦପୂର୍ଣ୍ଣ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳ ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ ସହ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ବର୍ଷା ଜାରି ରହିଲେ ଘରର ଅବଶିଷ୍ଟ ଅଂଶ ମଧ୍ୟ ଭାଙ୍ଗିବା ଆଶଙ୍କା ରହିଛି।
