ବାରିପଦା /ସାହାରପଡ଼ା; ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଘରେ ଶୋଇଥିବା ଦୁଇ ପ୍ରାଣୀ ଅଳ୍ପକେ ବିପଦରୁ ବର୍ତ୍ତି ଯାଇଛନ୍ତି। ଏଭଳି ଅଘଟଣ କେନ୍ଦୁଝର ଜିଲ୍ଲା,ସାହାରପଡ଼ା ବ୍ଲକ,ଖଡ଼ିକାପଦା ପଞ୍ଚାୟତ ଅନ୍ତର୍ଗତ ଖଡ଼ିବେଡ଼ା ଗାଁରେ ଘଟିଛି। ଗାଁର ଦୋସର ବିରୁଆ ଓ ସାବିତ୍ରୀ କୁଂକାର ଘରେ ଶୋଇଥିବା ସମୟରେ ଘରର ମାଟି କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଲଗାଣ ବର୍ଷା ଯୋଗୁଁ କାନ୍ଥରେ ପାଣି ପଶି ଏହା ଦୁର୍ବଳ ହୋଇଯାଇଥିବା ପରେ ହଠାତ୍ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। କାନ୍ଥ ଭୁଶୁଡ଼ିବା ସମୟରେ ଘରେ ଥିବା ଦୁଇ ପ୍ରାଣୀ ଅଳ୍ପକେ ବର୍ତ୍ତିଯାଇଥିବାରୁ ବଡ଼ ଅଘଟଣ ଟଳିଛି। ତେବେ ଘରର କାନ୍ଥ ଭାଙ୍ଗିଯିବା ସହ ଘର ଭିତରେ ଥିବା ବିଭିନ୍ନ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି। ଘରର ଏକ ଅଂଶ ଭାଙ୍ଗିଯିବା ପରେ ପରିବାର ଏବେ ଚିନ୍ତାରେ ଅଛନ୍ତି। ବର୍ଷା ଜାରି ରହିଥିବାରୁ ଘରର ଅବଶିଷ୍ଟ ଅଂଶ ମଧ୍ୟ ବିପଦସଙ୍କୁଳ ହୋଇପଡ଼ିଛି। ଫଳରେ ପରିବାରର ରହିବା ଓ ସୁରକ୍ଷାକୁ ନେଇ ଆଶଙ୍କା ବଢ଼ିଛି। ଦୁର୍ବଳ ମାଟିଘରେ ବର୍ଷା ସମୟରେ ରହିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥିବାରୁ ପରିବାରକୁ ତୁରନ୍ତ ସୁରକ୍ଷିତ ଆଶ୍ରୟ ଯୋଗାଇବା ଆବଶ୍ୟକ ବୋଲି ଗ୍ରାମବାସୀ କହିଛନ୍ତି। ଘଟଣା ପରେ କ୍ଷତିଗ୍ରସ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇବାକୁ ଦାବି ହୋଇଛି। ରାଜସ୍ୱ ବିଭାଗ ପକ୍ଷରୁ ଘରର କ୍ଷୟକ୍ଷତି ଆକଳନ କରାଯାଇ ନିୟମାନୁସାରେ ସହାୟତା ଏବଂ ଘର ନିର୍ମାଣ ପାଇଁ ସରକାରୀ ଯୋଜନାରେ ସାମିଲ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି। ଲଗାଣ ବର୍ଷା ସମୟରେ ଅନ୍ୟ ଦୁର୍ବଳ ମାଟିଘରଗୁଡ଼ିକର ମଧ୍ୟ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
