ବାଲିଚନ୍ଦ୍ରପୁର: ବନ୍ଧୁକରୁ ଗୁଳି କରିବା ସହିତ ଭୟଭୀତ କରାଇ ଦୁଇ ଜଣ ବାଇକ ଆରୋହୀଙ୍କ ବାଇକ ସହିତ ମୋବାଇଲ ଝାମ୍ପି ନେଇ ତିନି ଜଣ ମୁଖାପିନ୍ଧା ଯୁବକ ଫେରାର ହୋଇଯାଇଥିବା ଭଳି ଏକ ଅଭାବନୀୟ ଘଟଣା ଗତ କାଲି ରାତିରେ ଘଟିଥିବା ନେଇ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ ଘଟଣା ସ୍ଥଳରୁ ଗୋଟିଏ ଜୀବନ୍ତ ଗୁଳି ମଧ୍ୟ ଜବତ ହୋଇଛି । ସୂଚନା ମୁତାବକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ପଞ୍ଚାୟତ ଅହମ୍ମଦପୁର ଗ୍ରାମର ରିୟାଜ ଖାଁ ଗତ କାଲି ରାତି ୧୧ ଟାରେ ତାଙ୍କର ଜଣେ ସାଙ୍ଗଙ୍କ ସହିତ ଏକ ବାଇକ (ଓଡ଼ି ୨୯ ଏଚ ୫୮୭୭) ଯୋଗେ ଘର ନିକଟସ୍ଥ କଟିକଟା ଛକକୁ କୌଣସି କାମରେ ଯାଉଥିବା ବେଳେ ସେହି ଛକ ନିକଟ କଣ୍ଢେଇ ଢ଼ାବା ନିକଟରେ ସେମାନଙ୍କ ବାଇକକୁ ତିନି ଜଣ ମୁଖା ପିନ୍ଧା ଯୁବକ ଏକ ବାଇକ ଯୋଗେ ଆସି ଅଟକାଇଥିଲେ । ପରେ ସେମାନେ ବନ୍ଧୁକରୁ ଗୁଳି ଫୁଟାଇ ଭୟଭୀତ କରିବା ସହିତ ରିୟାଜଙ୍କ ବାଇକ ଓ ଦୁଇଟି ମୋବାଇଲ ଛଡାଇ ଦ୍ରୁତ ଗତିରେ କେନ୍ଦ୍ରାପଡା ଅଭିମୁଖେ ପଳାଇ ଯାଇଥିଲେ । ଏହି ଘଟଣା ପରେ ରିୟାଜ ସଙ୍ଗେ ସଙ୍ଗେ ଥାନାକୁ ଜଣାଇଥିଲେ । ଖବର ପାଇ ଥାନାଧିକାରୀ ଦିଲ୍ଲୀପ କୁମାର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ସେଠାରେ ପଡିଥିବା ଜୀବନ୍ତ ଗୁଳି ଜବତ କରିବା ସହିତ ଘଟଣାର ଛାନଭିନ କରିଥିଲେ । ତେବେ ଆଜି ଏନେଇ ରିୟାଜ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗ ଆଧାରରେ ଥାନା କେଶ ନମ୍ବର ୧୧୬/୨୬ ରେ ଏକ ମାମଲା ରୁଜୁ କରାଯାଇ ପରେ ପୋଲିସ ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳକୁ ଯାଇ ଜୋରଦାର ତଦନ୍ତ କରିଥିଲେ । ତେବେ ଖୁବଶୀଘ୍ର ଏହି ଘଟଣାର ପର୍ଦ୍ଦା ଫାସ କରାଯିବ ବୋଲି ଥାନାଧିକାରୀ ଶ୍ରୀ ମହାନ୍ତି ସମ୍ବାଦକୁ ସୂଚନା ଦେଇଛନ୍ତି ।
