ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ଚ୍ୟାଲେଞ୍ଜ। ରତ୍ନ ଅଳଙ୍କାର ଗଣତି ମଣତି ବେଳେ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି ଚାଲେଞ୍ଜ। ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍। ଗୋଟିଏ ନୁହେଁ ଦୁଇଟି ଡ୍ରୋନ୍ ନୀଳଚକ୍ର ଉପରେ ଉଡୁଥିବା ଦେଖିବାକୁ ମିଳିଛି। ବଡ କଥା ଏହି ସମୟରେ ପତିତପାବନ ବାନା ପରିବର୍ତ୍ତନ କରାଯାଉଥିଲା। ବେଧଡ଼କ ଦୁଇଟି ଡ୍ରୋନ ଉଡ଼ୁଥିବା ବେଳେ ସିଂହଦ୍ୱାର ସମ୍ମୁଖରେ ମୁତୟନ ପୋଲିସ ଅଧିକାରୀ ଓ କର୍ମଚାରୀ ଅସହାୟ ହୋଇ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।ଆଜି ସନ୍ଧ୍ୟା ୫ ଟା ୨୫ ମିନିଟ୍ ରୁ ଦୀର୍ଘ ୩୦ ମିନିଟ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଉପରେ ଉଡ଼ିଛି ଡ୍ରୋନ। ଶ୍ରୀମନ୍ଦିର ନୀଳଚକ୍ରରେ ବାନା ପରିବର୍ତ୍ତନ ସମୟରେ ଏହି ଭିଡିଓ କୁ ଦୁଇଟି ଡ୍ରୋନ ସୁଟ୍ କରୁଥିବା କ୍ୟାମେରାରେ କଏଦ ହୋଇଥିଲା। ତେବେ ଏହାକୁ ନେଇ ଭକ୍ତ ମାନେ ଉଦବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ଭଳି ଏକ ହାଇ ସିକ୍ୟୁରିଟି ଜୋନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଡ୍ରୋନ ଉଡ଼ିବା ଅତ୍ୟନ୍ତ ବିପଦ ଜନକ ବୋଲି ଭକ୍ତ ଅଭିଯୋଗ କରିଛନ୍ତି। ସେପଟେ ଶ୍ରଦ୍ଧାଳୁ କହିଛନ୍ତି ଶ୍ରୀମନ୍ଦିର ଭଳି ଏକ ହାଇ ସିକ୍ୟୁରିଟି ଜୋନରେ ୨ ଟି ଡ୍ରୋନ ଉଡ଼ିବା ସୁରକ୍ଷା ଦୃଷ୍ଟି କୋଣରୁ ଠିକ୍ ନୁହେଁ। ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଛନ୍ତି। ଯଦି ଡ୍ରୋନ ରେ କିଛି କେହି ବିସ୍ଫୋରକ ସାମଗ୍ରୀ ରେ ଆକ୍ରମଣ କରେ ତେବେ ବହୁତ କ୍ଷତି ଘଟିବ। ଏଣୁ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧ ରେ ପୋଲିସ୍ କଡା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।ଶ୍ରୀ ମନ୍ଦିର ଉପରେ ଡ୍ରୋନ ଉଡାଣ ବନ୍ଦ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ହେଉ।ଡ୍ରୋନ୍ ଉଡାଉଥିବା ଦୁଇଜଣ ଯୁବକଙ୍କୁ ପୋଲିସ୍ ଅଟକ ରଖିବା ସହିତ ଗୋଟିଏ ଡ୍ରୋନ୍ ଜବତ କରିଛି। ଅଟକ ଥିବା ଦୁଇ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର କଲ୍ୟାଣ ଦାସ ଏବଂ ସମ୍ରାଟ ବିଶ୍ୱାସ। ଆଇନ ଅନୁସାରେ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ତେବେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଣ୍ଟି ଡ୍ରୋନ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରୀ କରିନାହାନ୍ତି ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
