କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସପ୍ଲିମେଣ୍ଟାରୀହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଦେଇଥିବା ବେଳେ ୩,୬୬୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ ହାର ୬୩.୬୪ ପ୍ରତିଶତ ରହିଛି।ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେହି ଏ୧ ଗ୍ରେଡ୍ ପାଇ ନଥିବା ବେଳେ ଏ୨ରେ ୫ ଜଣ ବି୧ରେ ୧୨, ବି୨ରେ ୫୩,ସି ରେ ୧୯୨, ଡ଼ିରେ ୫୩୬ ଏବଂ ଇ ଗ୍ରେଡ୍ରେ ୨,୫୯୩ ଜଣରହିଛନ୍ତି। ୨୭୫ ଜଣ କମ୍ପାର୍ଟମେଣ୍ଟଲ୍ରେ ପାସ୍ କରିଥିବା ବେଳେ ୨,୦୯୪ ଜଣ ଫେଲ୍ ହୋଇଛନ୍ତି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (୨ୟ)- ୨୦୨୬ରେ ମୋଟ ୮,୬୯୮ ଜଣ ପରୀକ୍ଷା ଦେଇଥିବା ବେଳେ ୫,୪୫୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ପରୀକ୍ଷାର ପାସ୍ ହାର ୬୨.୬୫ ପ୍ରତିଶତ ରହିଛି। ଏଥିରେ ଏ୧ ଗ୍ରେଡ୍ରେ କେହି ପାସ୍ କରି ନଥିବା ବେଳେ ଏ୨ରେ ୧୦, ବି୧ରେ ୧୦୯, ବି୨ରେ ୪୦୧, ସିରେ ୮୬୮, ଡ଼ିରେ ୧,୫୧୪ ଏବଂ ଇଗ୍ରେଡ୍ରେ ୨,୫୪୮ ଜଣ ରହିଛନ୍ତି। ମୋଟ ୩,୧୮୫ ଜଣ ଫେଲ୍ ହୋଇଛନ୍ତି। ପ୍ରଥମ ଥର ପାଇଁ ଡିଜିଟାଲ ମୂଲ୍ୟାୟନ କରିଛି ମାଧ୍ୟମିକ ଶିକ୍ଷାପରିଷଦ। ତ୍ରୁଟିଶୂନ୍ୟ ମୂଲ୍ୟାୟନ ହୋଇଥିବା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତାରାଇ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଡିଜିଟାଲ ମୂଲ୍ୟାୟନ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ। ବୋର୍ଡର ବିଭିନ୍ନ କମିଟିରେ ଏ ନେଇ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସଭାପତି କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତାରାଇଙ୍କ ସୂଚନା ମୁତାବକ ଏହି ପଦ୍ଧତି ଦ୍ୱାରା ବୋର୍ଡକୁ ଅନେକ ସଫଳତା ମିଳିବ। ବିଶେଷକରି ମ୍ୟାନ ପାୱାର କମିବ ଏବଂ କମ୍ ସମୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବ।
