ବାରିପଦା; ଚଳନ୍ତା ମଟର ସାଇକେଲରେ ହଠାତ ନିଆଁ ଲାଗି ଆଖି ପିଛୁଳାକେ ବାଇକଟି ଜଳି ଯାଇଥିବା ବେଳେ, ଅଳ୍ପକେ ଚାଳକ ଜଣକ ବର୍ତ୍ତିଯାଇଥିବାର ଜଣାଯାଇଛି । ବାରିପଦା ସହରର ୨୧ ନମ୍ବର ୱାର୍ଡ ଅନ୍ତର୍ଗତ ବିଜୟରାମଚନ୍ଦ୍ରପୁର ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏହି ଅଘଟଣ ଘଟିଛି। ସୂଚନା ଅନୁଯାୟୀ, ବାଇକ ମାଲିକ ଚିନ୍ମୟ ମୁଖୀ ଭୁବନେଶ୍ୱର ଯିବା ପାଇଁ ସକାଳୁ ଘରୁ ବାହାରିଥିଲେ। ଜୁବୁଲି ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଯାଉଥିବା ସମୟରେ ହଠାତ ବାଇକର ଇଞ୍ଜିନ ପାଖରୁ ଶବ୍ଦ ହେବା ସହ ନିଆଁ ଲାଗିଯାଇଥିଲା। ଚାଳକ ତୁରନ୍ତ ବାଇକରୁ ଓହ୍ଲାଇ ପଡ଼ିବା ସହ ବାଲି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ତେବେ ନିଆଁ ଆୟତ୍ତକୁ ଆସିନଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ପଲସର ୨୦୦ ବାଇକଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିଲା। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
