ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ଯୁଦ୍ଧକୁ ଶୀଘ୍ର ଶେଷ କରିବା ପାଇଁ ଆମେରିକା ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଶପଥ ନେଇଛି । ଫଳରେ ଇରାନ ସହିତ ଜାରି ରହିଥିବା ପ୍ରବଳ ଉତ୍ତେଜନା ଓ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ନିକଟରେ ହେଉଥିବା ଲଗାତାର ସାମରିକ ଆକ୍ରମଣ ମଧ୍ୟରେ ଆମେରିକା ପଶ୍ଚିମ ଏସିଆ ଅଭିମୁଖେ ଏକ ବିଶାଳ ସାମରିକ ବାହିନୀ ପଠାଉଛି। ଆମେରିକାର ନୂଆ ଯୁଦ୍ଧ ଜାହାଜ ୟୁଏସଏସ ଟ୍ରିପୋଲି ୨,୨୦୦ ଜଣ ସୈନିକଙ୍କ ସହିତ ମଧ୍ୟପ୍ରାଚ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ବର୍ତ୍ତମାନ ଏହା ଦକ୍ଷିଣ ଭାରତୀୟମହାସାଗରରେ ଅଛି। କିନ୍ତୁ ଇରାନ ଯୁଦ୍ଧ ଆଗାମୀ ସପ୍ତାହରେ ନୂଆ ପର୍ଯ୍ୟାୟରେ ପ୍ରବେଶ କରିପାରେ ବୋଲି ଏକପ୍ରକାରର ସଙ୍କେତ ମିଳି ଯାଇଛି। ଗୁରୁବାର ଟ୍ରମ୍ପ ଗଣମାଧ୍ୟମକୁ କହିଥିଲେ ଯେ “ମୁଁ କୌଣସି ସ୍ଥାନକୁ ସୈନ୍ୟ ପଠାଉ ନାହିଁ। ଯଦି ବି ମୁଁ ପଠାଇବି,ତା’ହେଲେ ଆପଣମାନଙ୍କୁ କହିବି ନାହିଁ।” କିନ୍ତୁ ଅପ୍ରତ୍ୟାଶିତ ନିଷ୍ପତ୍ତି ନେବାରେ ଟ୍ରମ୍ପ ମାହିର। ସେ ହଠାତ କିଛି ବି କରିପାରନ୍ତି। ଟ୍ରମ୍ପ ଖୋଲାଖୋଲି କିଛି କହି ନଥିଲେ ହେଁ ଆମେରିକାର ସୁରକ୍ଷା ଅଧିକାରୀମାନେ ରୟଟର୍ସକୁ କହିଛନ୍ତି ଯେ ଅଧୈର୍ଯ୍ୟ ଟ୍ରମ୍ପ ଏବେ ଇରାନରେ ତାଙ୍କର ଆକ୍ରମଣକୁ ମଜବୁତ କରିବା ପାଇଁ ହଜାର ହଜାର ସୈନ୍ୟ ପଠାଇବାକୁ ବିଚାର କରୁଛନ୍ତି। ଏହା ପଛରେ ଦୁଇଟି ମୁଖ୍ୟ କାରଣଅଛି। ପ୍ରଥମଟି ହେଉଛି ହର୍ମୁଜ ପ୍ରଣାଳୀକୁ ପୁଣି ଖୋଲିବାର ଉପାୟ ବାହାର କରିବା। କାରଣ ଏହି ପ୍ରଣାଳୀରେ ବିଶ୍ୱର ୨୦% ତେଲ ଓ ଗ୍ୟାସ ରପ୍ତାନୀ ହୋଇଥାଏ। ଯୁଦ୍ଧ ଫେବୃଆରୀ ୨୮ରୁ ଆରମ୍ଭ ହେବା ପର ଠାରୁ ଇରାନ ଏହି ଜଳପଥରେ ଜାହାଜ ଚଳାଚଳକୁ ପ୍ରାୟ ବନ୍ଦ କରିଦେଇଛି। ଏଥିଯୋଗୁ ତେଲ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟଛି। ଯଦିଓ ଇରାନ ପକ୍ଷରୁ ଭାରତ ସମେତ ଆଉ କିଛି ତୈଳ ଟ୍ୟାଙ୍କରକୁ ହର୍ମୁଜରେ ଯାତାୟାତ କରିବାକୁ ଅନୁମତିଦେଇଛି, ତଥାପି ପଶ୍ଚିମ ଜାହାଜଗୁଡ଼ିକ ପାଇଁ ଏହାକୁ ବନ୍ଦ କରି ରଖିଛି। ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଇରାନ ଟ୍ରାନଜିଟ୍ ଫି’ ମଧ୍ୟ ଆଦାୟ କରୁଛି। ହର୍ମୁଜ ପ୍ରଣାଳୀରେ ସୁରକ୍ଷିତ ଯାତ୍ରା ପାଇଁ ଇରାନ ୨ ମିଲିୟନ ଡଲାର (ପ୍ରାୟ ୧୮ କୋଟି ଟଙ୍କା) ଆଦାୟ କରୁଥିବା ଜଣାପଡ଼ିଛି। ଗତ କିଛି ଦିନ ଧରି ଟ୍ରମ୍ପ ଆମେରିକାର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଯୁଦ୍ଧଜାହାଜ ପଠାଇବାକ ପରାମଶ ଦେଇଥିଲେ। ହେଲେ କେହି ବି ଏହାକୁ ଶୁଣି ନାହାନ୍ତି। ଖାସ ଏଥିପାଇଁ ଏବେ ଟ୍ରମ୍ପ ୟୁଏସଏସ ଟ୍ରିପୋଲିରେ ଥିବା ଆମେରିକାର ମାରିନ କର୍ପସକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।ଟ୍ରମ୍ପ ବୁଝି ସାରିଛନ୍ତି, ହର୍ମୁଜ ପ୍ରଣାଳୀର ଅବରୋଧକୁ ହଟାଇବା ପାଇଁ ଆମେରିକାକୁ ହିଁ ସୈନ୍ୟ ପଠାଇବାକୁ ପଡ଼ିବ। ସେହିପରି ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଇରାନର ଅଧିକାଂଶ ଜାହାଜ ଧ୍ୱଂସ ହୋଇଯାଇଛି। ତେଣୁ ହର୍ମୁଜକୁ ଦଖଲ ପାଇଁ ଜଳ ପଥରେ ସୈନ ପଠାଇବା କମ ବିପଦପୂର୍ଣ୍ଣ ବୋଲି ଟ୍ରମ୍ପ ଚିନ୍ତା କରିଛନ୍ତି। ଆଉ କିଛି ଆମେରିକୀୟ ଅଧିକାରୀ ପରାମର୍ଶ ଦେଇଛନ୍ତି ଯେ ଆସଲ୍ଟ ଜାହାଜରେ ଥିବା ସୈନ୍ୟମାନଙ୍କୁ ଇରାନର ଦକ୍ଷିଣ ଉପକୂଳ ନିକଟରେ ଥିବା ଏକ କିମ୍ବା ଏକାଧିକ ଦ୍ୱୀପକୁ ଦଖଲ କରିବାକୁ ବ୍ୟବହାର କରାଯାଇପାରେ। ଦ୍ୱୀପକୁ ଦଖଲ କରିବବା ପରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ କରିବାକୁ ଥିବା ସମ୍ଭାବ୍ୟ ଆକ୍ରମଣକୁ ପ୍ରତିରୋଧ କରିବା ପାଇଁ ସେଗୁଡ଼ିକୁ ବେସ୍ ଭାବେ ବ୍ୟବହାର କରାଯାଇପାରିବ।ଅଧିକାଂଶ ୟୁରାନିୟମ ଏବେ ଆମେରିକା ଓ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଧ୍ୱଂସ ହୋଇଥିବା ପ୍ରତିଷ୍ଠାନ ତଳେ ରହିଛି। ତେଣୁ ଏଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ସ୍ଥଳ ଭାଗରେ ଅପରେସନ ଆବଶ୍ୟକ। ୟୁଏସଏସ ଟ୍ରିପୋଲିରେ ଯାଇଥିବା ସୈନିକମାନେ ସ୍ଥଳ ଓ ବିମାନ ଯୁଦ୍ଧ, ରେଡ୍, ଆକ୍ରମଣ ଭଳି ଅପରେସନ୍ରେ ବେଶ ମାହିର। ଟ୍ରିପୋଲି କେବଳ ଏକ ସାଧାରଣ ଯୁଦ୍ଧ ଜାହାଜ ନୁହେଁ। ଏହା ଏକ ବିମାନବାହୀ, ଯାହା ସମୁଦ୍ରରୁ ସ୍ଥଳ ଓ ଆକାଶ ପଥରେ ଅପରେସନ କରିବାକୁ ସକ୍ଷମ। ଯୁଦ୍ଧ ଜାହାଜରେ ଏଫ-୩୫ ଷ୍ଟେଲ୍ଥ ଫାଇଟର ଜେଟ୍, ଏମ୍ଭି-୨୨ ଓସ୍ପ୍ରେ ଟ୍ରାନ୍ସପୋର୍ଟ ହେଲିକପ୍ଟର ଓ ସୈନ୍ୟମାନଙ୍କୁ ଉପକୂଳକୁ ନେବା ପାଇଁ ଲ୍ୟାଣ୍ଡିଙ୍ଗ୍ କ୍ରାଫ୍ଟ ରହିଛି। ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଆମେରିକାର ପ୍ରାୟ ୫୦,୦୦୦ ସୈନ୍ୟ ଅଛନ୍ତି। ମଧ୍ୟପ୍ରାଚ୍ୟରେ ଏକ ଅଘୋଷିତ ଯୁଦ୍ଧ ଜାରି ରହିଛି ।
