ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କୁ ଶୁକ୍ରବାର ଏକ ଅଜଣା ନମ୍ବରରୁ ହତ୍ୟା ଧମକ ଫୋନ୍ ଆସିଥିଲା। ତାଙ୍କ ବ୍ୟକ୍ତିଗତ ସହାୟକ ବିଶ୍ୱେନ୍ଦ୍ର ଶାହଙ୍କୁ ଫୋନ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ଧମକ ଦିଆଯିବା ପରେ ସେ ପୋଲିସରେ ଏନେଇ ଅଭିଯୋଗ ଦାଖଲ କରିଛନ୍ତି। ପଶ୍ଚିମବଙ୍ଗର ମୁର୍ଶିଦାବାଦର ଇସ୍ମାଇଲ ନାମକ ଜଣେ ବ୍ୟକ୍ତି ଏହି କଲ କରିଥିବା ଅଭିଯୋଗ ହୋଇଛି। ତାଙ୍କ ପାଖରେ ମନ୍ତ୍ରୀଙ୍କ ସରକାରୀ ଗସ୍ତ ଯୋଜନାର ଏକ କପି ଥିବା କୁହାଯାଉଛି। ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ପଶ୍ଚିମବଙ୍ଗ ପୋଲିସ ମଧ୍ୟ ସମଗ୍ର ମାମଲାର ତଦନ୍ତ କରୁଛି। ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀ ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଭାବରେ କାର୍ଯ୍ୟ କରୁଛନ୍ତି। ଆରଏଲଡି ହେଉଛି ଏକ ଆଞ୍ଚଳିକ ରାଜନୈତିକ ଦଳ, ଯାହାର ପଶ୍ଚିମ ଉତ୍ତର ପ୍ରଦେଶରେ ଏକ ଦୃଢ଼ ସ୍ଥିତି ରହିଛି। ଚୌଧୁରୀ ୨୦୨୪ ପର୍ଯ୍ୟନ୍ତ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସପି) ସହିତ ମେଣ୍ଟରେ ଥିଲେ। ଯେତେବେଳେ ମୋଦି ସରକାର ଚୌଧୁରୀଙ୍କ ଜେଜେବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଲେ ସେତେବେଳେ ଚୌଧୁରୀ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏଡିଏ) ସହିତ ହାତ ମିଳାଇବାକୁ ନିଷ୍ପତ୍ତି ନେଇଥିଲେ
