ତେହେରାନ: ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ନିଶ୍ଚିତ କରିଛି ଯେ ଏହାର ମୁଖପାତ୍ର ଜେନେରାଲ ଅଲି ମହମ୍ମଦ ନାଇନି ଇସ୍ରାଏଲ-ଆମେରିକା କ୍ଷେପଣାସ୍ତ୍ର ଆକ୍ରମଣରେ ନିହତ ହୋଇଛନ୍ତି। ଇରାନର ସରକାରୀ ଟିଭି ନାଇନ ସହିଦ ହେବାର ଘୋଷଣା କରିଛି। ତାଙ୍କୁ କେତେବେଳେ ହତ୍ୟା କରାଯାଇଥିଲା କିମ୍ବା ଏହା ମଧ୍ୟରାତ୍ରିରୁ ଆମେ ରିପୋର୍ଟ କରୁଥିବା ଆକ୍ରମଣର ଲହରୀ ସମୟରେ ହୋଇଛି କି ନାହିଁ ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ। ୬୮ ବର୍ଷୀୟ ନାଇନ ଦ୍ୱିତୀୟ ବ୍ରିଗେଡିୟର ଜେନେରାଲ ଓ ତାଙ୍କୁ ଆଇଆରଜିସିର ମୁଖପାତ୍ର ଭାବରେ ୨୦୨୪ ମସିହାରେ ନିଯୁକ୍ତ କରାଯାଇଥିଲା। ଏହି ଘଟଣା ପରେ ଆଇଆରଜିସ ଚେତାବନୀ ଦେଇ କହିଛି ଯେ, ଅଧିକ ରକ୍ତପାତ ଏବଂ ଇରାନ-ଉପସାଗର ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ଶତ୍ରୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ନହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି, ୟୁକେ ବୈଦେଶିକ ସଚିବ ୟେଭେଟ୍ କୁପରଙ୍କ ସହିତ ଏକ ଫୋନ୍ କଲ୍ରେ ଚେତାବନୀ ଦେଇଛନ୍ତି ଯେ ଆମେରିକାକୁ ବ୍ରିଟିଶ ସାମରିକ ଘାଟି ବ୍ୟବହାର କରିବାକୁ ଅନୁମତି ଦେବା ଆକ୍ରମଣରେ ଅଂଶଗ୍ରହଣ ଭାବରେ ବିବେଚନା କରାଯିବ। ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ପୋଷ୍ଟ ହୋଇଥିବା ଏକ ବିବୃତି ଅନୁଯାୟୀ ଆରାଗଚି କହିଛନ୍ତି, ଆମେରିକା ଏବଂ ଇସ୍ରାଏଲୀ ଶାସନ ସମସ୍ତ ଅନ୍ତର୍ଜାତୀୟ ନୀତି ଏବଂ ନିୟମ ବିରୁଦ୍ଧ ଆମ ଦେଶ ଉପରେ ଆକ୍ରମଣ କରିଛି। ସେ ଏହି ସ୍ପଷ୍ଟ ଆକ୍ରମଣ ପ୍ରତି ଯୁକ୍ତରାଜ୍ୟ ଏବଂ କିଛି ୟୁରୋପୀୟ ଦେଶମାନଙ୍କର ନକାରାତ୍ମକ ଏବଂ ପକ୍ଷପାତି ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି, ଯାହା ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରେ। ଜାତିସଂଘ ଚାର୍ଟରର ଧାରା ୫୧ ଅନୁଯାୟୀ ଇରାନର ଆତ୍ମରକ୍ଷା ଅଧିକାର ଉପରେ ଗୁରୁତ୍ୱାରୋପ କରି ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆମେ ପଡ଼ୋଶୀ ଦେଶଗୁଡ଼ିକର ସାର୍ବଭୌମତ୍ୱକୁ ସମ୍ମାନ ଦେଇଛୁ ଏବଂ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ଦେଶ୍ୟ ରଖି ନାହୁଁ, କିନ୍ତୁ ଦୁର୍ଭାଗ୍ୟବଶତଃ, ଏହି ଦେଶଗୁଡ଼ିକରେ ଆମେରିକୀୟ ଘାଟି ଅବସ୍ଥିତ ଏବଂ ଏହି ଘାଟିଗୁଡ଼ିକରୁ ଆମ ଉପରେ ଆକ୍ରମଣ କରାଯାଉଛି। କୁପର ହରମୁଜ୍ ପ୍ରଣାଳୀରେ ବୃଦ୍ଧି ପାଉଥିବା ଉତ୍ତେଜନା ସମେତ ସଂଘର୍ଷର ରାଜନୈତିକ ଏବଂ ଆର୍ôଥକ ପ୍ରଭାବ ଉପରେ ଚିନ୍ତା ପ୍ରକାଶ କରିଛନ୍ତି।
