ପୁରୀ: ରାଜ୍ୟ ଦୁର୍ନୀତି ସଂଘର୍ଷ ମଞ୍ଚ ର ନିଷ୍ପତି କୁ ସମ୍ମାନ ଜଣାଇ ସତ୍ୟବାଦୀ ଶାଖାର କାର୍ଯ୍ୟ ନିର୍ବାହୀ ବୈଠକ ସ୍ଥାନୀୟ ପଞ୍ଚସଖା ପାଠାଗାର ଠାରେ ବଡ଼ ବଜାର କମିଟି ଓ ମଞ୍ଚ ସଭାପତି ବିରେନ୍ଦ୍ର ଭୂଷଣ ହୋତାଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଉପଦେଷ୍ଟା ଗୁଣ୍ଡୁଚି ବରାଳ,ବରିଷ୍ଠ ଅଧିବକ୍ତା ଓ ସତ୍ୟବାଦୀ ବିକାଶ ପରିଷଦ ସଭାପତି ପଞ୍ଚସଖା ଙ୍କୁ ସଭକ୍ତୀ ମାଲ୍ୟାର୍ପଣ ପୂର୍ବକ ଅଧିବେଶନର ଶୁଭ ଉଦଘାଟନ କରି ଦୁର୍ନୀତି ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।ସାଧାରଣ ସମ୍ପାଦକ ଶ୍ରମିକ ନେତା ନଟବର ଆଚାର୍ଯ୍ୟ ସଂପାଦକୀୟ ବିବରଣୀ ପ୍ରଦାନ କରି ମଞ୍ଚର ଆଭିମୁଖ୍ୟ ଓ ଆଗାମୀ ଯୋଜନା ସ୍ପଷ୍ଟ କରିଥିଲେ । ରାଜ୍ୟ ସଭାପତି, ଜିଲ୍ଲାସ୍ତରୀୟ ନେତୃତ୍ୱ ଓ ସ୍ଥାନୀୟ ବିଭିନ୍ନ ସଂଗଠନ ର ମିଳିତ ସହଯୋଗରେ ଏକ ସାଧାରଣ ସଭା କରାଯାଇ ସାଧାରଣ ଜନତାଙ୍କ ପ୍ରୟୋଜନୀୟତା ପ୍ରତି ଅଙ୍ଗୀକାରବଦ୍ଧତାକୁ ପରିବ୍ୟାପ୍ତ କରିବା ନିମିତ୍ତ ପରାମର୍ଶ ଦେଇଥିଲେ।ଆଲୋଚନାରେ ବରିଷ୍ଠ ରାଜନୀତିଜ୍ଞ ଏବଂ ମଞ୍ଚର ସହ ସମ୍ପାଦକ ସୁରେନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ତଥା ମଞ୍ଚ ଉପସଭାପତି ଦେବେନ୍ଦ୍ର ମହାପାତ୍ର ଓ ସମାଜସେବୀ ଦୋଳଗୋବିନ୍ଦ ଜେନା ଅଂଶ ଗ୍ରହଣ କରିଥିଲେ। ଶେଷରେ ମହିଳା ସାମ୍ମୁଖ୍ୟ ପ୍ରତିନିଧି ସ୍ୱର୍ଣ୍ଣଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
