ମୁମ୍ବାଇ : ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବ ଆଇପିଏଲ୍ର ୧୯ତମ ସଂସ୍କରଣ । ପ୍ରତିଯୋଗିତାର ସବୁଠୁ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ନୂଆ ସିଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଦଳର ପ୍ରମୁଖ ସଦସ୍ୟମାନେ ନୂଆଦିଲ୍ଲୀରେ ବିସିସିଆଇର ବାର୍ଷିକ ପୁରସ୍କାର ଉତ୍ସବରେ ଯୋଗ ଦେଇଛନ୍ତି । ଏପଟେ ଦଳର ଅନ୍ୟ ଘରୋଇ ଖେଳାଳିମାନେ ୱାଙ୍ଖଡ଼େ ଷ୍ଟାଡ଼ିୟମ୍ରେ ଏକତ୍ରିତ ହୋଇଛନ୍ତି । ମୁଖ୍ୟ କୋଚ ମାହେଲା ଜୟବର୍ଦ୍ଧନେ ଦଳର ପ୍ରସ୍ତୁତି ଶିବିର ପରିଚାଳନା କରୁଛନ୍ତି । ସୂଚନା ଅନୁଯାୟୀ, ରବିବାର ମୟଙ୍କ ମାର୍କଣ୍ଡେ, ରଘୁ ଶର୍ମା, ନମନ ଧିର, ଡାନିଶ ମାଲେୱର ପ୍ରମୁଖ ଦଳରେ ଯୋଗ ଦେଇଥିଲେ । ମାର୍କଣ୍ଡେ ଗତ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିଲେ । ରଘୁ ଶର୍ମା ନବାଗତ ଭାବେ ଏଥର ଦଳରେ ସ୍ଥାନ ପାଇଛନ୍ତି । ତାଙ୍କୁ ବିଘ୍ନେଶ ପୂଥୁରଙ୍କ ସ୍ଥାନରେ ସୁଯୋଗ ମିଳିଛି । ନମନ ଧିର ମୁମ୍ବାଇ ଇଣ୍ଡିଆନ୍ସର ପ୍ରମୁଖ ସଦସ୍ୟ । ଗତ ସିଜନରେ ସେ ୧୮୨.୬୦ ଷ୍ଟ୍ରାଇକ ରେଟ୍ରେ ୨୫୨ ରନ ସଂଗ୍ରହ କରିଥିଲେ । ଗତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ୮ଟି ମ୍ୟାଚ୍ ଜିତି ପ୍ଲେ- ଅଫ୍ରେ ପ୍ରବେଶ କରିଥିଲା । ମାତ୍ର ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗ୍ସ ଠାରୁ ପରାଜିତ ହୋଇ ବିଦାୟ ନେଇଥିଲା । ଆସନ୍ତା ୨୯ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ଦଳ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ । ଜୟପୁରରେ ଅଭ୍ୟାସ, ଗୌହାଟୀରେ ମ୍ୟାଚ୍ ନୂଆ ରୂପରେ ଏଥର ଗ୍ରାଉଣ୍ଡ୍କୁ ଓହ୍ଲାଇବାକୁ ଯାଉଥିବା ରାଜସ୍ଥାନ ରୟାଲ୍ସ ଦଳ ମଙ୍ଗଳବାର ଠାରୁ ପ୍ରସ୍ତୁତି ଆରମ୍ଭ କରିବ । ସୱାଇ ମାନସିଂ ଷ୍ଟାଡ଼ିୟମ୍ରେ ହିଁ ଦଳର ପ୍ରସ୍ତୁତି ଶିବିର ଚାଲିବ । ଏଥର ରିୟାନ ପରାଗ ଦଳର ନେତୃତ୍ୱ ନେଉଛନ୍ତି । ଯଶସ୍ୱୀ ଜୈସ୍ୱାଲ, ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଅନେକ ଯୁବ ଖେଳାଳି ଦଳର ଭାଗ୍ୟ ନିର୍ଦ୍ଧାରଣ କରିବେ । ଆଇପିଏଲ୍ର ପ୍ରଥମ ପର୍ଯ୍ୟାୟ କ୍ରୀଡ଼ାସୂଚୀ ଅନୁଯାୟୀ ରାଜସ୍ଥାନ ରୟାଲ୍ସ ପ୍ରଥମ ୨ଟି ଘରୋଇ ମ୍ୟାଚ ଗୌହାଟୀର ବର୍ଷାପଡ଼ା ଗ୍ରାଉଣ୍ଡ୍ରେ ଖେଳିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ସୱାଇ ମାନସିଂ ଷ୍ଟାଡ଼ିୟମ୍ ଦଳର ପ୍ରମୁଖ ଘରୋଇ ଗ୍ରାଉଣ୍ଡ । ତେଣୁ ସେଠାରେ ଦଳ ଅଭ୍ୟାସ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । କିଛି ଦିନ ତଳେ ନାଗପୁରରେ ରାଜସ୍ଥାନ ରୟାଲ୍ସର ଏକ ଫିଟ୍ନେସ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ବୈଭବ, ରବି ବିଷ୍ଣୋଇ, ସନ୍ଦିପ ଶର୍ମାଙ୍କ ସମେତ ରବିନ୍ଦ୍ର ଜାଡ଼େଜା ଯୋଗ ଦେଇଥିଲେ । ମୁଖ୍ୟ କୋଚ କୁମାର ସାଙ୍ଗାକାରା ମଧ୍ୟ ଉପସ୍ଥିତ ଥିଲେ ।
