ମୁମ୍ବାଇ : ଆଗାମୀ ଆଇପିଏଲ୍ ପାଇଁ ବିସିସିଆଇ କିଛି ନୂଆ ନିୟମ ଲାଗୁ କରିଛି । ବିଶେଷ କରି ଅଭ୍ୟାସ ପାଇଁ ପ୍ରତ୍ୟେକ ଦଳକୁ ଉପଯୁକ୍ତ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କୌଣସି ମ୍ୟାଚ ପୂର୍ବରୁ ଉଭୟ ଦଳ ଭିନ୍ନ ଭିନ୍ନ ପିଚ୍ରେ ଅଭ୍ୟାସ କରିବେ । ଗୋଟିଏ ଦଳ ବ୍ୟବହାର କରିଥିବା ପିଚ୍?କୁ ପ୍ରତିପକ୍ଷ ଦଳ ଅଭ୍ୟାସରେ ବ୍ୟବହାର କରିବ ନାହିଁ । ଫଳ ସ୍ୱରୂପ ପ୍ରତ୍ୟେକ ଦଳକୁ ସତେଜ ପିଚ୍ ପ୍ରଦାନ କରାଯିବ । କୌଣସି ଦଳ ଅଭ୍ୟାସ ପିଚ୍ରେ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଚାହିଁଲେ ଉକ୍ତ ଦଳକୁ ଅନୁମତି ମିଳିବ । ତେବେ ଉକ୍ତ ମ୍ୟାଚ ୩ଘଣ୍ଟା ୩୦ ମିନିଟ୍ରୁ ଅଧିକ ହୋଇ ପାରିବ ନାହିଁ । ଘରୋଇ ଦଳ ସର୍ବଦା ଭ୍ରମଣକାରୀ ଦଳର ଅଭ୍ୟାସର ଉପଯୁକ୍ତ ଆୟୋଜନ କରିବ। ଚଳିତ ମାସ ୨୮ ତାରିଖରୁ ଆଇପିଏଲ ଆରମ୍ଭ ହେବ । ଡିଫେଣ୍ଡିଂ ଚାମ୍ପିଅନ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଉଦ୍ଘାଟନୀ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଚିନ୍ନାସ୍ୱାମୀ ଷ୍ଟଡ଼ିୟମ୍କୁ ଉଦଘାଟନୀ ମ୍ୟାଚ ଆୟୋଜନ କରିବାକୁ ଅନୁମତି ମିଳିଛି । ଗତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ଦଳ ଚାମ୍ପିଅନ୍ ହେବା ପରଠୁ ଏହି ଗ୍ରାଉଣ୍ଡରେ କୌଣସି ମ୍ୟାଚ ଆୟୋଜନ କରାଯାଇନାହିଁ । ରୟାଲ୍ ଚ୍ୟାଲେଞ୍ଜର୍ସର ବିଜୟ ଉତ୍ସବ ଅବସରରେ ଦଳ ଚକଟା ଯୋଗୁଁ ୧୧ଜଣ କ୍ରିକେଟ୍ ପ୍ରେମୀଙ୍କ ପ୍ରାଣହାନୀ ଘଟିଥିଲା । ସେବେଠୁ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ କୌଣସି ମ୍ୟାଚ ଆୟୋଜନ କରିବାକୁ କର୍ଣ୍ଣାଟକ ସରକାର ଅନୁମତି ଦେଇ ନଥିଲେ । କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଏକ କମିଟି ଆସନ୍ତା ଶୁକ୍ରବାର ଦିନ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ । ଏହି କମିଟିର ଅନୁମୋଦନ ପରେ ଆଇପିଏଲ୍ ମ୍ୟାଚ ଆୟୋଜନ ପାଇଁ ଅନୁମତି ମିଳିବ । ଏଥର ଆଇପିଏଲରେ ମୋଟ୍ ୮୪ଟି ମ୍ୟାଚ ରହିଛି । ପ୍ରଥମ ୧୬ ଦିନର କ୍ରୀଡ଼ାସୂଚୀ ମଧ୍ୟରେ ମୋଟ୍ ୨୦ଟି ମ୍ୟାଚ ରହିଛି । ଏପ୍ରିଲ ମାସ ୪,୫, ୧୧ ଓ ୧୨ ତାରିଖରେ ରହିଛି ଡବଲ୍ ହେଡର । ଅର୍ଥାତ ଏହି ଦିନ ଗୁଡ଼ିକରେ ୨ଟି ଲେଖାଏଁ ମ୍ୟାଚ ଖେଳାଯିବ । ପ୍ରତ୍ୟେକ ଦଳ ପ୍ରଥମ ପର୍ଯ୍ୟାୟରେ ୪ଟି ଲେଖାଏଁ ମ୍ୟାଚ ଖେଳିବାକୁ ସୁଯୋଗ ପାଇବେ । ମେ ମାସ ୩୧ ତାରିଖରେ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେବ । ରାଜସ୍ଥାନ ରୟାଲ୍ସ ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ ଭାବେ ଗ୍ରହଣ କରିଥିବା ଗୌହାଟୀ(ବର୍ଷାପଡ଼ା) ଷ୍ଟାଡ଼ିୟମ୍ରେ ୩ଟି ମ୍ୟାଚ ଖେଳିବ । ଏଥର ରୟାଲ୍ ଚ୍ୟାଲେଞ୍ଜର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟ ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ ରଖିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ରାଏପୁରରେ ୨ଟି ମ୍ୟାଚ ଖେଳିବ । ସେହିପରି ପଞ୍ଜାବ କିଙ୍ଗ୍ସ ଧର୍ମଶାଳାରେ ୩ଟି ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି ।
