ନୂଆଦିଲ୍ଲୀ : ଇତି ମଧ୍ୟରେ ଟି-ଟ୍ୱେଣ୍ଟି ିଶ୍ୱକପ୍ ଶେଷ ହୋଇଛି ଓ ଖେଳାଳିମାନେ ଆଇପିଏଲ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛନ୍ତି । ଆଗକୁ ମଧ୍ୟ ଭାରତୀୟ ଖେଳାଳିମାନଙ୍କୁ ବିଶ୍ରାମ ନେବାକୁ ସମୟ ମିଳିବ ନାହିଁ । କାରଣ ଚଳିତ ବର୍ଷ ଭାରତୀୟ ଦଳର ବ୍ୟସ୍ତପୂର୍ଣ୍ଣ କ୍ରୀଡ଼ାସୂଚୀ ରହିଛି । ବିସିସିଆଇ ଆଗାମୀ ୧୨ ମାସ ପାଇଁ କ୍ରିକେଟ୍ ସିରିଜର ତାଲିକା ଘୋଷଣା କରିଛି । ଭାରତୀୟ ଦଳ ୧୦ଟି ଟେଷ୍ଟ, ୨୦ଟି ଦିନିକିଆ ଓ ୩୩ଟି ଟି-ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ଚଳିତ ବର୍ଷ ଏସୀୟ କ୍ରୀଡ଼ା ରହିଛି ଓ ଭାରତୀୟ ଦଳ ଏସୀୟ କ୍ରୀଡ଼ାରେ ଅତିରିକ୍ତ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ । ବିସିସିଆଇର ବ୍ୟସ୍ତପୂର୍ଣ୍ଣ କ୍ରୀଡ଼ା ସୂଚୀ ଜାରି କରିଛି । ଭାରତୀୟ ଦଳ ଆସନ୍ତା ଜୁଲାଇ/ଅଗଷ୍ଟରେ ଶ୍ରୀଲଙ୍କା ଯାତ୍ରା କରି ୩ଟି ଟି-ଟ୍ୱେଣ୍ଟି ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ଟେଷ୍ଟ ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଅନ୍ତର୍ଗତ ରହିଥିଲା । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ଅନୁରୋଧ କ୍ରମେ ଏହି ସିରିଜ ସହ ୩ଟି ଟି-ଟ୍ୱେଣ୍ଟି ଯୋଡ଼ା ଯାଇଛି । ଟି-ଟ୍ୱେଣ୍ଟି ସିରିଜରୁ ଆୟ ଅର୍ଥରେ ବନ୍ୟା ବିପନ୍ନଙ୍କୁ ସହାୟତା ଦିଆଯିବ । ଗତ ବର୍ଷ ନଭେମ୍ବର ମାସରେ ବାତ୍ୟା ଦିତ୍ୱା ଶ୍ରୀଲଙ୍କାକୁ ବେଶ୍ କ୍ଷତି ପହଞ୍ଚାଇଥିଲା । ଏହା ପୂର୍ବରୁ ଭାରତୀୟ ଦଳ ଇଂଲଣ୍ଡ ଯାତ୍ରା କରି ୩ଟି ଦିନିକିଆ ଓ ୫ଟି ଟିଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି । ଜୁଲାଇ ୧ରୁ ୧୯ ତାରିଖ ମଧ୍ୟରେ ଏହି ସିରିଜ ଖେଳାଯିବ । ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଦଳ ଆୟର୍ଲାଣ୍ଡ ଯାତ୍ରା କରି ଏକ ଟି-ଟ୍ୱେଣ୍ଟି ସିରିଜ ଖେଳିବାର ଯୋଜନା କରାଯାଉଛି । ଅବଶ୍ୟ ଏହି ସିରିଜକୁ ନେଇ ବିଧିବଦ୍ଧ ଘୋଷଣା କରାଯାଇନାହିଁ । ଉଭୟ ବିସିସିଆଇ ଓ ଆୟର୍ଲାଣ୍ଡ କ୍ରିକେଟ ବୋର୍ଡ ମଧ୍ୟରେ ଏହି ସିରିଜକୁ ନେଇ ଆଲୋଚନା ଚାଲିଛି । ଏହି ସିରିଜ ସମ୍ଭବ ହେଲେ ଭାରତୀୟ ଦଳ ଜୁନ୍ ଶେଷ ସପ୍ତାହରେ ଆୟର୍ଲାଣ୍ଡ ଯାତ୍ରା କରିବ । ସୂଚନାଯୋଗ୍ୟ, ଭାରତୀୟ ଦଳ ପୂର୍ବରୁ ୨୦୧୮, ୨୦୨୨ ଓ ୨୦୨୩ରେ ଆୟର୍ଲାଣ୍ଡ ଯାତ୍ରା କରି ଡବଲିନ୍ରେ ଟି-ଟ୍ୱେଣ୍ଟି ସିରିଜ ଖେଳିଛି । ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଦଳ ଘରୋଇ ଗ୍ରାଉଣ୍ଡରେ ଏକ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି । ଆଫଗାନିସ୍ତାନ ଦଳ ଭାରତ ଗସ୍ତରେ ଆସି ଜୁନ ମାସ ୬ରୁ ୨୦ ତାରିଖ ମଧ୍ୟରେ ୩ଟି ଦିନିକିଆ ଓ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବ । ଶ୍ରୀଲଙ୍କା ସିରିଜ(ଜୁଲାଇ/ଅଗଷ୍ଟ) ପରେ ଭାରତୀୟ ଦଳ ୟୁଏଇ ଯାତ୍ରା କରି ଆଫଗାନିସ୍ତାନ ବିପକ୍ଷରେ ୩ମ୍ୟାଚ ବିଶିଷ୍ଟ ଟି-ଟେଣ୍ଟି୍ୱ ସିରିଜ ଖେଳିବ । ଏହା ଆଫଗାନିସ୍ତାନର ଘରୋଇ ସିରିଜ ହେବ । ସେପ୍େଟମ୍ବର ମାସରେ ଏହି ସିରିଜ ଆୟୋଜନ ପାଇଁ ଯୋଜନା କରାଯାଉଛି । ଏଥର ଭାରତୀୟ ଦଳ ବାଂଲାଦେଶ ଯାତ୍ରା କରି ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବା ସମ୍ଭାବନା ରହିଛି । ଉଭୟ ବୋର୍ଡ ମଧ୍ୟରେ ଏହି ସିରିଜକୁ ନେଇ ଆଲୋଚନା ଚାଲିଛି । ସେପ୍େଟମ୍ବର ମାସରେ ୱେଷ୍ଟ ଇଣ୍ଡିଜ ଦଳ ଭାରତ ଗସ୍ତରେ ଆସି ୩ଟି ଟିଟ୍ୱେଣ୍ଟି ଓ ୫ଟି ଦିନିକିଆ ଖେଳିବ । ଏହି ସମୟ ମଧ୍ୟରେ ଜାପାନରେ ଏସୀୟ କ୍ରୀଡ଼ା ଆୟୋଜିତ ହେବ । ସେପ୍େଟମ୍ବର ମାସ ୧୯ ତାରିଖରୁ ଏସୀୟ କ୍ରୀଡ଼ା ଆରମ୍ଭ ହୋଇ ଅକ୍ଟୋବର ମାସ ୪ ତାରିଖରେ ଶେଷ ହେବ । ଭାରତ ମଧ୍ୟ ଟି-ଟ୍ୱେଣ୍ଟି ଦଳ ପଠାଇବ । ସେପ୍େଟମ୍ବର ୨୫ରୁ ଅକ୍ଟୋବର ୩ ତାରିଖ ମଧ୍ୟରେ କ୍ରିକେଟ୍ ଅନୁଷ୍ଠିତ ହେବ । ଗତ ଏସୀୟ କ୍ରୀଡ଼ାରେ ଋତୁରାଜ ଗାଏକୱାଡଙ୍କ ନେତୃତ୍ୱରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଏଥର ଟି-ଟ୍ୱେଣ୍ଟି ଦଳ ଜାପାନରେ ଏସୀୟ କ୍ରୀଡ଼ା ଖେଳୁଥିବା ସମୟରେ ଦିନିକିଆ ଦଳ ଘରୋଇ ଗ୍ରାଉଣ୍ଡ୍ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ଅକ୍ଟୋବର ୧୮ ତାରିଖରେ ଭାରତୀୟ ଦଳ ଏକ ପୂର୍ଣ୍ଣାଙ୍ଗ ସିରିଜ ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଯାତ୍ରା କରିବ । ନ୍ୟୁଜିଲାଣ୍ଡରେ ଭାରତୀୟ ଦଳ ୫ଟି ଦିନିକିଆ, ୫ଟି ଟି-ଟ୍ୱେଣ୍ଟି ି ଓ ୨ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୨୨ ତାରିଖରୁ ଏହି ସିରିଜ ଆରମ୍ଭ ହେବ । ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଭାରତୀୟ ଦଳ ସ୍ୱଦେଶ ଫେରି ଆସିବ । ଏହାପରେ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବ । ଶ୍ରୀଲଙ୍କା ବିପକ୍ଷ ଘରୋଇ ସୀମିତ ଓଭର ସିରିଜ ଶେଷ ହେବା ପରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସି ୫ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରଜ ଖେଳିବ । ଜାନୁଆରୀ ଓ ଫେବ୍ରୁଆରୀ ୨୦୨୭ରେ ଏହି ସିରିଜ ଅନୁଷ୍ଠିତ ହେବ ।
