ପୁରୀ: ସ୍ଥାନୀୟ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସରର ହିନ୍ଦୁ ଅଧ୍ୟୟନ କେନ୍ଦ୍ର ପକ୍ଷରୁ “ବିଶ୍ୱ ଭ୍ରାତୃଭାବ ପ୍ରତିଷ୍ଠାରେ ହିନ୍ଦୁ ଧର୍ମର ପ୍ରାସଙ୍ଗିକତା ଶୀର୍ଷକ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ବୁଧବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ପରିସରର ନିର୍ଦ୍ଦେଶକଙ୍କ ସମେତ ବିଶିଷ୍ଟ ଶିକ୍ଷାବିତ୍ ଓ ଅତିଥିମାନେ ଯୋଗଦେଇ “ବସୁଧୈବ କୁଟୁମ୍ବକମ୍” ଚିନ୍ତାଧାରାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ମିଳନୀର ପ୍ରାରମ୍ଭରେ ଛାତ୍ରମାନଙ୍କ ଦ୍ୱାରା ବୈଦିକ ମଙ୍ଗଳାଚରଣ, ରାଷ୍ଟ୍ରଗୀତ ଓ କୁଳଗୀତ ଗାନ କରାଯାଇଥିଲା। ଡ. ଜିତେନ୍ଦ୍ର ରାୟଗୁରୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ହିନ୍ଦୁ ଅଧ୍ୟୟନ କେନ୍ଦ୍ରର ସଂଯୋଜକ ଡ. ସନ୍ଦୀପ ଚାଟାର୍ଜୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।?ଏହି ଅବସରରେ ବିଶିଷ୍ଟ ଅତିଥି ଭାବେ ଡ. ଦୁର୍ଗାପ୍ରସାଦ ଦାଶଶର୍ମା, ପ୍ରଫେସର ଖଗେଶ୍ୱର ମିଶ୍ର (କୁଳିକା ଭାଷଣ), ମୁଖ୍ୟ ଅତିଥି ଭାବେ ପ୍ରଫେସର ସୁଦେଶ କୁମାର ଶର୍ମା ଏବଂ ସାରସ୍ୱତ ଅତିଥି ଭାବେ ଡ. ଚକ୍ରଧର ମେହେର ଯୋଗଦେଇଥିଲେ। ପ୍ରଫେସର ପ୍ରଭାତ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଡ. ସିଦ୍ଧାର୍ଥ ଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ?ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ହିନ୍ଦୁ ଦର୍ଶନରେ ବିଶ୍ୱ ମାନବବାଦ, ଧର୍ମ ଓ ସାମାଜିକ ସଦଭାବନା ଏବଂ ଆନ୍ତଃ-ଧର୍ମୀୟ ସଂଳାପ ଭଳି ବିଭିନ୍ନ ଉପ-ବିଷୟ ବସ୍ତୁ ଉପରେ ଦେଶ ବିଦେଶର ଗବେଷକ ଓ ବିଦ୍ୱାନମାନେ ନିଜର ପ୍ରବନ୍ଧ ଉପସ୍ଥାପନ କରିବେ। ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଶତାଧିକ ପ୍ରତିଯୋଗୀ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରୁଛନ୍ତି।
