ପୁରୀ: ଆସନ୍ତା ରଥଯାତ୍ରା ୨୦୨୬ ପାଇଁ ପୁରୀ ସମୁଦ୍ରତଟରେ ଆସୁଥିବା ଅନେକ ସଂଖ୍ୟକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ଏସପି ପ୍ରତୀକ ସିଂ ଅଧ୍ୟକ୍ଷତା କରିଥିଲେ । ସମୀକ୍ଷା ବୈଠକରେ ପୁରୀ ସମୁଦ୍ରତଟରେ କାର୍ଯ୍ୟରତ ଥିବା ୬ଟି ଲାଇଫଗାର୍ଡ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ ଆସନ୍ତା ରଥଯାତ୍ରା ସମୟରେ ସମୁଦ୍ରତଟରେ ଭିଡ଼ ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ଭକ୍ତ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷା, ଡ୍ୟୁଟି ବିଭାଜନ, ରେସ୍କ୍ୟୁ ବ୍ୟବସ୍ଥା, ସଚେତନତା କାର୍ଯ୍ୟକ୍ରମ ଓ ଆପଦକାଳୀନ ପରିସ୍ଥିତିରେ କିପରି ଶୀଘ୍ର ଉଦ୍ଧାର କାର୍ଯ୍ୟ କରାଯିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପୁରୀ ସମୁଦ୍ରତଟରେ ଦିନରାତି ଅନେକ ବିପଦଜନକ ପରିସ୍ଥିତି ସତ୍ତ୍ୱେ ଲାଇଫଗାର୍ଡମାନେ ଯେପରି ଭାବରେ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି, ତାହାକୁ ଏସପି ଶ୍ରୀସିଂ ବହୁତ ପ୍ରଶଂସା କରିଥିଲେ। ସେ କହିଥିଲେ ପୁରୀ ସମୁଦ୍ରତଟରେ ପର୍ଯ୍ୟଟକମାନଙ୍କ ସୁରକ୍ଷାରେ ଲାଇଫଗାର୍ଡମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ବିପଦ ସତ୍ତ୍ୱେ ସେମାନେ ନିଜ ଜୀବନକୁ ବିପଦରେ ପକାଇ ଅନେକ ଲୋକଙ୍କ ଜୀବନ ବଞ୍ଚାଇଥାନ୍ତି, ଯାହା ନିଶ୍ଚୟ ଭାବେ ପ୍ରଶଂସାନୀୟ।

ଏହି ଅବସରରେ ଏସପି ଶ୍ରୀ ସିଂ ପୁରୀ ସମୁଦ୍ରତଟରେ କାର୍ଯ୍ୟରତ ୬ଟି ଲାଇଫଗାର୍ଡ ସଂଘକୁ ସେମାନଙ୍କ ଅତ୍ୟନ୍ତ କଷ୍ଟସାଧ୍ୟ ଓ ସାହସିକ କାର୍ଯ୍ୟ ପାଇଁ ସମ୍ମାନିତ କରିଥିଲେ। ଲାଇଫଗାର୍ଡମାନଙ୍କ ନିଷ୍ଠା, ସତର୍କତା ଓ ସେବାଭାବକୁ ସେ ଉଚ୍ଚ ସ୍ୱରରେ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ପୁରୀ ପୋଲିସ ଓ ଲାଇଫଗାର୍ଡମାନେ ଏକାଠି ମିଶି କାମ କଲେ ସମୁଦ୍ରତଟରେ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଅଧିକ ସୁରକ୍ଷା ଯୋଗାଇପାରିବ। ସେ ଆହୁରି କହିଥିଲେ ଯେ ରଥଯାତ୍ରା ସମୟରେ ପୁରୀ ସମୁଦ୍ରତଟରେ ଅଧିକ ସତର୍କତା ଅବଳମ୍ବନ କରାଯିବ ଏବଂ ପୋଲିସ ଓ ଲାଇଫଗାର୍ଡମାନଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରହିବ। ପର୍ଯ୍ୟଟକମାନେ ସମୁଦ୍ରରେ ସ୍ନାନ କରିବା ସମୟରେ ନିର୍ଦ୍ଦିଷ୍ଟ ସୁରକ୍ଷା ନିୟମ ମାନିବାକୁ ଓ ଲାଇଫଗାର୍ଡମାନଙ୍କ ନିର୍ଦ୍ଦେଶକୁ ଅବଶ୍ୟ ପାଳନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।ଏହି ବୈଠକରେ ଅତିରିକ୍ତ ଏସପି ଦେବ ପ୍ରତାପ, ସିଟି ଡିଏସ୍?ପି ରସ୍ମିରଞ୍ଜନ ମହାପାତ୍ର ଓ ସିବିଚ୍ ଥାନାର ଆଇଆଇସି ମାନସ ଚକ୍ର ଉପସ୍ଥିତ ଥିଲେ। ସମସ୍ତ ଅଧିକାରୀମାନେ ମିଶି ପୁରୀ ସମୁଦ୍ରତଟରେ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଆଗାମୀ ଦିନରେ ଅଧିକ ସୁଦୃଢ଼ ବ୍ୟବସ୍ଥା ନେବାକୁ ସମ୍ମତି ଜଣାଇଥିଲେ। ପୁରୀ ପୋଲିସ ପକ୍ଷରୁ ମଧ୍ୟ ସମସ୍ତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ସମୁଦ୍ର ସ୍ନାନ ସମୟରେ ସତର୍କ ରହିବାକୁ, ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ନାନ କରିବାକୁ ଓ ଲାଇଫଗାର୍ଡମାନଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଅନୁରୋଧ କରାଯାଇଛି।
